Latest Odisha News

BREAKING NEWS

ଫ୍ରାନ୍ସରେ ହେବ ମୋଦୀ-ଟ୍ରମ୍ପ ମହାମିଳନ: ଜି-୭ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ଆଲୋଚନା ନେଇ ହ୍ୱାଇଟ୍ ହାଉସର ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ହେବାକୁ ଯାଉଛି। ଫ୍ରାନ୍ସର ଏଭିଆନ ସହରରେ ଆୟୋଜିତ ହେବାକୁ ଥିବା ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ ବୋଲି ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଗାମୀ ଜୁନ୍ ୧୬ ଏବଂ ୧୭ ତାରିଖରେ ଏହି ହାଇ-ପ୍ରୋଫାଇଲ୍ ବୈଠକ ହେବ, ଯାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

 

୨୦୨୫ ଫେବ୍ରୁଆରୀରେ ୱାଶିଂଟନରେ ହୋଇଥିବା ସାକ୍ଷାତକାର ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ବୈଠକ। ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ବାହାରିଥିବା ବେଳେ ଏହି ଗସ୍ତର ଦ୍ୱିତୀୟ ଭାଗରେ ସେ ଜି-୭ ସମ୍ମିଳନୀର ଆଉଟ୍‌ରିଚ୍ ଅଧିବେଶନରେ ଯୋଗଦେବେ। ଫ୍ରାନ୍ସ ପ୍ରେସିଡେଣ୍ଟ ଇମାନୁଏଲ ମାକ୍ରୋନଙ୍କ ବିଶେଷ ନିମନ୍ତ୍ରଣ କ୍ରମେ ଭାରତ ଏହି ସମ୍ମିଳନୀରେ ସହଭାଗୀ ଦେଶ ଭାବେ ଭାଗ ନେଉଛି।

 

ବର୍ତ୍ତମାନ ବିଶ୍ୱରେ ଚାଲିଥିବା ଆର୍ଥିକ ଓ ସାମରିକ ସଙ୍କଟ ମଧ୍ୟରେ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବିଶେଷ କରି ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା, ହରମୁଜ ପ୍ରଣାଳୀ ସଙ୍କଟ, ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଚୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତାର ସୁରକ୍ଷିତ ବ୍ୟବହାର ଭଳି ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଚୀନର ବଢୁଥିବା ବାଣିଜ୍ୟିକ ପ୍ରଭାବକୁ ରୋକିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଦୁଇ ନେତା ରଣନୀତି ପ୍ରସ୍ତୁତ କରିପାରନ୍ତି।

 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିଦେଶ ଗସ୍ତ ବେଶ୍ ବ୍ୟସ୍ତବହୁଳ ରହିବ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଫ୍ରାନ୍ସର ନିସ୍ ସହରରେ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା କରିବା ସହ ‘ଭାରତ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ଏହାପରେ ସେ ସ୍ଲୋଭାକିଆ ଗସ୍ତ କରି ସେଠାକାର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଭେଟିବେ। ୧୯୯୩ ମସିହାରେ ସ୍ଲୋଭାକିଆ ସ୍ୱାଧୀନ ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ଏହାପରେ ସେ ଜୁନ୍ ୧୬ରେ ପୁଣି ଫ୍ରାନ୍ସ ଫେରି ଜି-୭ ସମ୍ମିଳନୀରେ ଯୋଗଦେବେ ଏବଂ ତା’ ପରେ ପ୍ୟାରିସରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗନେବେ।

 

ଭାରତ ଓ ଆମେରିକା ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ତଥା ରଣନୈତିକ ସମ୍ପର୍କକୁ ଏକ ନୂଆ ଦିଗ ଦେବା ପାଇଁ ଏହି ମୋଦି-ଟ୍ରମ୍ପ ସାକ୍ଷାତକାର ଏକ ବଡ଼ ମାଧ୍ୟମ ସାବ୍ୟସ୍ତ ହେବ। ହ୍ୱାଇଟ୍ ହାଉସର ଏହି ଗ୍ରୀନ୍ ସିଗନାଲ୍ ପରେ ଉଭୟ ଦେଶର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୂଟନୈତିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.