Latest Odisha News

BREAKING NEWS

ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ରାଷ୍ଟ୍ରପତିଙ୍କ ସହ ରାଇରଙ୍ଗପୁରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୯ ଏବଂ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ବିଜେପି ସରକାରଙ୍କ ସଫଳ ବର୍ଷପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ଏହି ହାଇ ପ୍ରୋଫାଇଲ୍ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

 

ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଗସ୍ତର ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଜୁନ୍ ୨୦ ତାରିଖରେ ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ମିଳିଥିବା ବେଳେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

 

ଏହି ଗସ୍ତ ସମୟରେ ମୁଖ୍ୟ କାର୍ଯ୍ୟକ୍ରମ ରାଷ୍ଟ୍ରପତିଙ୍କ ଗୃହ ସହର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ପାହାଡ଼ପୁରଠାରେ ଆୟୋଜିତ ହେବ। ରାଇରଙ୍ଗପୁରରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହେବ ଯେଉଁଠାରେ ଦୁଇ ଶୀର୍ଷ ଜନପ୍ରତିନିଧି ଜନସାଧାରଣଙ୍କକୁ ସମ୍ବୋଧିତ କରିବେ। ଏହାସହ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ, ଭିତ୍ତିଭୂମି ଓ କଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ସାଂସଦ ନବଚରଣ ମାଝୀ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗସ୍ତ ନେଇ ସୂଚନା ମିଳିଥିବା ପ୍ରକାଶ କରିଛନ୍ତି।

 

ଏଭଳି ହାଇ ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ ଦୁଇ ଦିନିଆ ଗସ୍ତ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୧୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ। ବ୍ଲୁ ବୁକ୍ ପ୍ରୋଟୋକଲ୍ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.