Latest Odisha News

BREAKING NEWS

ସରପଞ୍ଚ ଚାମେଲି ଓଝା ମାମଲାରେ ତେଜିଲା ରାଜନୀତି: ଭେଟିଲେ ବିଧାୟିକା ସୋଫିଆ, ଅଡୁଆରେ ବିଡିଓ

ସରପଞ୍ଚ ଚାମେଲି ଓଝା ମାମଲାରେ ତେଜିଲା ରାଜନୀତି: ଭେଟିଲେ ବିଧାୟିକା ସୋଫିଆ, ଅଡୁଆରେ ବିଡିଓ

 

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଧୀନସ୍ଥ ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀ ମାମଲା ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିଛି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧୀନ ଥିବା ସରପଞ୍ଚ ଚାମେଲିଙ୍କୁ ଭେଟିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ, ଯେପର୍ଯ୍ୟନ୍ତ ଚାମେଲିଙ୍କୁ ଉଚିତ୍ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

ବିଧାୟିକା ସୋଫିଆ ଏହି ଘଟଣାକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ମହାକାଳପଡ଼ା ବିଡିଓଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଦାବି କରିଛନ୍ତି। ଏହା ସହିତ ସରପଞ୍ଚଙ୍କ ବିରୋଧରେ ଲଗାଯାଇଥିବା ସଙ୍ଗିନ ଦଫାଗୁଡ଼ିକୁ କୋହଳ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାକୁ ସେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।

 

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ବ୍ଲକ ଅଫିସରେ ଏକ ସମୀକ୍ଷା ବୈଠକ ଚାଲିଥିବା ସମୟରେ ବିଡିଓଙ୍କ ସହ ସରପଞ୍ଚ ଚାମେଲି ଓଝାଙ୍କର ପ୍ରବଳ ବଚସା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ହସ୍ତକ୍ଷେପ କରିବାରୁ ସରପଞ୍ଚ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଜଣେ ଅଧିକାରୀଙ୍କୁ କାମୁଡ଼ି ଦେଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଥିଲା।

 

ସରକାରୀ ଓ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇ ତାଙ୍କୁ ତଥା ତାଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିଲା।

 

କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ପୋଲିସ ଏଫଆଇଆର ଆଧାରରେ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ଜଣକୁ ଗିରଫ କରିଥିବା ବେଳେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ଖୋଳତାଡ଼ ଜାରି ରଖିଛି।

Leave A Reply

Your email address will not be published.