ନୂଆଦିଲ୍ଲୀ: କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାଉଦି ଆରବର ଜେଦ୍ଦା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହା ଫଳରେ ବିମାନ ମଝି ଆକାଶରୁ ଫେରିଆସିଛି।
ସୂଚନା ଅନୁଯାୟୀ, ଉଡ଼ାଣ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ପାଇଲଟମାନେ ଯାନ୍ତ୍ରିକ ତ୍ରୁଟି ଜାଣିପାରି ତୁରନ୍ତ ବିମାନକୁ କନ୍ନୁର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ। ବିମାନବନ୍ଦର ସୂତ୍ର ଅନୁଯାୟୀ, ଏହି ଅନ୍ତର୍ଜାତୀୟ ବିମାନ (ଉଡ଼ାଣ ନମ୍ବର AXB778) ୧୮୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବୋଇଂ ବିମାନ ସକାଳ ପ୍ରାୟ ୭:୪୦ ରେ କନ୍ନୁର ବିମାନବନ୍ଦରର ରନୱେରୁ ଜେଦ୍ଦା ଅଭିମୁଖେ ବାହାରିଥିଲା ଉଡ଼ାଣ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପରେ ପାଇଲଟମାନେ ଏକ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ।
ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟମାନେ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ଯୋଗାଯୋଗ କରିଥିଲେ। ସୁରକ୍ଷିତ ଅବତରଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ନିୟମ ପାଳନ କରାଯାଇଥିଲା। ଏହା ପରେ ବିମାନଟି କନ୍ନୁର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ସୁରକ୍ଷିତ ଅବତରଣ ପରେ ବିମାନରେ ଥିବା ସମସ୍ତ ୧୮୦ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।
