ନୂତନ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟି: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି କଲା ଅଭିଭାବକ ମହାସଂଘ
ଭୁବନେଶ୍ୱର: ନୂତନ ଶିକ୍ଷା ନୀତି ଅନୁସାରେ ପ୍ରକାଶିତ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୋଟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି । ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇସାରିଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓଡ଼ିଶା ଅଭିଭାବକ ମହାସଂଘ ।
ଓଡ଼ିଶା ଅଭିଭାବକ ମହାସଂଘ (OAM) ର ସଭାପତି ବାସୁଦେବ ଭଟ୍ଟ ଆଜି ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ଯେ, ଏହା କୌଣସି ଛୋଟ ଅବହେଳା ନୁହେଁ, ବରଂ ମୁଦ୍ରଣ ପୂର୍ବରୁ ପ୍ରୁଫ୍ ରିଡିଂ ଓ ଗୁଣବତ୍ତା ନିୟନ୍ତ୍ରଣର ଏକ ବିରାଟ ବିଫଳତା । ଏହା ପୂର୍ବରୁ ମଧ୍ୟ ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକ “ଆମ ବିଚିତ୍ର ବିଶ୍ୱ”ରେ ବ୍ରହ୍ମପୁରକୁ ଜିଲ୍ଲା ବୋଲି ଭୂଲ୍ ଉଲ୍ଲେଖ ଏବଂ ୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ବନ୍ଧରେ ବିବାଦୀୟ ଉକ୍ତି ପରି ଘଟଣା ଘଟିଥିଲା। କିନ୍ତୁ ବିଭାଗ ଏହି ଭୂଲ୍ ପୁନରାବୃତ୍ତି କରୁଛି । ଶିକ୍ଷକମାନେ ଶ୍ରେଣୀ କକ୍ଷରେ ହାତେ ସୁଧାରିବାକୁ ପଡୁଛି ଏବଂ ବିଭାଗ ପରବର୍ତ୍ତୀ ମୁଦ୍ରଣରେ ସୁଧାରିବା ପ୍ରତିଶ୍ରୁତି ଦେଉଛି ।
ଓଡ଼ିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିତ ପତ୍ରରେ ସଂଘ ଦାବି କରିଛି ଯେ, ସ୍କୁଲ୍ ଓ ମାସ୍ ଏଜୁକେସନ୍ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବା । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଦ୍ରଣ ଓ ଅନୁମୋଦନ ପ୍ରକ୍ରିୟାରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀ, ପ୍ରକାଶକ ଓ ସମସ୍ତ ଦାୟୀ ବ୍ୟକ୍ତିଙ୍କ ଠାରୁ ସମଗ୍ର ଜନତାଙ୍କ ଟଙ୍କା ଉଦ୍ଧାର କରିବା ।
ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ନୂତନ ଶୁଦ୍ଧ ପୁସ୍ତକ ଯୋଗାଇବା ଏଥିପାଇଁ ସରକାର ଓ ଅଭିଭାବକଙ୍କୁ ଅତିରିକ୍ତ ଖର୍ଚ୍ଚ ନ ପଡ଼ିବ । ସରକାରୀ ପାଠ୍ୟପୁସ୍ତକ ବିଭାଗକୁ ନିର୍ଦ୍ଦେଶ ଦେବା ଯେ, ବେସରକାରୀ ସ୍କୁଲ୍ ଗୁଡ଼ିକୁ ଟଙ୍କା ଦେଇ ପୁସ୍ତକ ଯୋଗାଇବା ଏହା ଏବେ ସମୟର ଦାବି । ଭବିଷ୍ୟତରେ ପାଠ୍ୟପୁସ୍ତକ ମୁଦ୍ରଣ ପୂର୍ବରୁ ଶିକ୍ଷାବିଦ୍, ଅଭିଭାବକ ଓ ବିଷୟ ବିଶେଷଜ୍ଞଙ୍କ ସମ୍ମିଳିତ ସ୍ୱାଧୀନ ସମୀକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ।
ସଭାପତି ବାସୁଦେବ ଭଟ୍ଟ କହିଛନ୍ତି, “ଏହା କେବଳ ପୁସ୍ତକର ପ୍ରଶ୍ନ ନୁହେଁ ଏହା ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଏବଂ ରାଜ୍ୟ ସରକାରଙ୍କ NEP 2020 ପ୍ରତି ପ୍ରତିଶ୍ରୁତିର ପ୍ରଶ୍ନ । ଅଭିଭାବକମାନେ ଆଉ କୌଣସି ସୁପରିଫିସିଆଲ୍ ଆଶ୍ୱାସନ ଗ୍ରହଣ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଆବଶ୍ୟକ।”
