ସ୍କୁଲ ବହିରେ ଭୁଲକୁ ନେଇ ତେଜିଲା ରାଜନୀତି: ‘ଗେରୁଆ ନୀତି’କୁ ନେଇ ବିଜେଡିର ହମଲା, ଅତୀତ ମନେପକାଇ ବିଜେପିର ପାଲଟା ଆକ୍ରମଣ
ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟାଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ପ୍ରିଣ୍ଟିଂ ମିସଟେକକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସ୍କୁଲ ଖୋଲିବା ପୂର୍ବରୁ ଏହି ଘଟଣାକୁ ନେଇ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକଙ୍କର ରହିଛି ନଜର।
ସରକାରୀ ସ୍ତରରେ ଭୁଲ୍ ସଂଶୋଧନ ପାଇଁ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ବାକ୍ଯୁଦ୍ଧ ଚରମସୀମାରେ ପହଞ୍ଚିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଥିବା ଭୁଲକୁ ଅସ୍ତ୍ର କରି ବିଜେଡି ସରକାରଙ୍କ ଶିକ୍ଷା ନୀତି ଏବଂ ମାନସିକତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ, ବିଜେପି ଏହାକୁ ସ୍ୱୀକାର କରିବା ସହ ଅତୀତର ଉଦାହରଣ ଦେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି।
ବହିରେ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶିକ୍ଷା ବ୍ୟବସ୍ଥା ବିଜେପି ସରକାରଙ୍କ ପ୍ରାଥମିକତା ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।
“ଗଣମାଧ୍ୟମରେ ଯେଉଁ ସବୁ ସାଙ୍ଘାତିକ ଭୁଲ୍ ଆଖିକୁ ଦେଖାଯାଉଛି, ତାହା ସରକାରଙ୍କୁ ଦେଖାଯାଉନି। ସରକାର ଯେଉଁମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଉଛନ୍ତି, ସେମାନେ କେବଳ ଗେରୁଆ ହୋଇଥିବା ଦରକାର ବୋଲି ଚାହୁଁଛନ୍ତି। ଯାହାର ପ୍ରକୃତ ଶିକ୍ଷା ଓ ବୁଦ୍ଧି ଅଛି ତାଙ୍କୁ ଦାୟିତ୍ୱ ଦିଆଯାଉ ନାହିଁ। ଶିକ୍ଷା ବ୍ୟବସ୍ଥାକୁ ଗୈରିକୀକରଣରୁ ବାଦ୍ ଦିଆଯାଉ। ଯଦି ସରକାର ଏହି ଗେରୁଆ ନୀତି ନଛାଡ଼ିବେ, ତେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବୁଡ଼ିଯିବ। ଶିକ୍ଷା ଭଳି ସମ୍ବେଦନଶୀଳ ବିଷୟ ସହ ଏଭଳି ଖେଳ ଖେଳିଲେ ପିଢ଼ି ପରେ ପିଢ଼ି ଧ୍ୱଂସ ହୋଇଯିବେ।”
ବିଜେଡିର ଏହି ପ୍ରହାର ଉପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା। ବିରୋଧୀ ଦଳର କାମ କେବଳ ବିରୋଧ କରିବା ବୋଲି କହିବା ସହ ସେ ବିଜେଡି ଶାସନ କାଳର ପୋଥୀ ବାଇଗଣ ମନେ ପକାଇ ଦେଇଛନ୍ତି। ରାଜେନ୍ଦ୍ର ପଣ୍ଡା କହିଛନ୍ତି ଯେ, ଯାହା ତ୍ରୁଟି ହୋଇଛି ତାହାକୁ ଶାସକ ଦଳ ସ୍ୱୀକାର କରୁଛି। ଖୋଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହି ତ୍ରୁଟି କଥା ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ ଦାୟୀ ଥିବା ଅଧିକାରୀ ବା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଜେଡିକୁ ଟାର୍ଗେଟ୍ କରି ସେ କହିଛନ୍ତି, ଅତୀତରେ ସରକାରୀ ଡାଏରୀରେ କେମିତି ସାଙ୍ଘାତିକ ଭୁଲ୍ ବାହାରିଥିଲା ଏବଂ ସେମାନଙ୍କ ମୁଖିଆ କେଉଁଭଳି ଭାବେ କଥାକୁ କଦର୍ଥ କରି କୁହନ୍ତି, ସେ କଥା କଣ ବିଜେଡି ଭୁଲି ଯାଇଛି କି? ବିରୋଧୀ ଯିଏ ଯାହା କହିଲେ ମଧ୍ୟ ସରକାର ଆଗାମୀ ଦିନରେ ଏହି ସମସ୍ତ ଭୁଲ୍ ସୁଧାରିବେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ତ୍ରୁଟି ସଂଶୋଧନ କରାଯାଇ ପିଲାମାନଙ୍କ ପାଖକୁ ବହି ପଠାଯିବ।
ଏହି ବଡ଼ ବିବାଦ ମଧ୍ୟରେ ପିଲାଙ୍କ ପାଠପଢ଼ାକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ଥିଲେ। ପାଠ୍ୟପୁସ୍ତକରେ ରହିଯାଇଥିବା ଭୁଲକୁ ସଂଶୋଧନ କରିବା ପାଇଁ ଏସସିଇଆରଟି ପକ୍ଷରୁ ଏକ ବିଶେଷ ଗାଇଡଲାଇନ ଏବଂ କଣ ଭୁଲ ଅଛି ଓ ତାର ସଂଶୋଧନ କଣ ହେବ, ସେନେଇ ଏକ ସୂଚୀପତ୍ର ଜାରି କରାଯାଇଛି।
ଏସସିଇଆରଟିର ଏହି ନିର୍ଦ୍ଦେଶନାମା ପରେ ଓସେପା ପକ୍ଷରୁ ତୁରନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଶ୍ରେଣୀଗୃହରେ ପାଠ ପଢ଼ାଇବା ସମୟରେ ଏହି ସଂଶୋଧନ ଚିଠିକୁ ଆଧାର କରି ବହିର ଭୁଲଗୁଡ଼ିକୁ ନିଜେ ସୁଧାରିବେ ଏବଂ ଛାତ୍ରଛାତ୍ରୀଙ୍କୁ ସଠିକ୍ ବିଷୟବସ୍ତୁ ଶିକ୍ଷା ଦେବେ। ତ୍ରୁଟିପୂର୍ଣ୍ଣ ବହିକୁ ସମ୍ପୂର୍ଣ୍ଣ ସୁଧାରିବା ପାଇଁ ଏସସିଇଆରଟି ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।
