Latest Odisha News

BREAKING NEWS

Indo Pacific Command: କମାଣ୍ଡରୁ ‘ଇଣ୍ଡୋ’ ହଟାଇଲା ଆମେରିକା, ପିଓକେକୁ ପାକିସ୍ତାନର ଅଂଶ ଦେଖାଇ ବିବାଦରେ ଯୁକ୍ତରାଷ୍ଟ୍ର…

ନୂଆଦିଲ୍ଲୀ: ଆମେରିକା ତାହାର ପ୍ରମୁଖ ସାମରିକ କମାଣ୍ଡ ‘US Indo-Pacific Command (USINDOPACOM)’ର ନାମ ପରିବର୍ତ୍ତନ କରି ପୁଣିଥରେ ‘US Pacific Command (USPACOM)’ କରିଛି। ଯାହା ମଧ୍ୟରୁ ଇଣ୍ଡୋ(Indo) ଶବ୍ଦଟି କାଢି ଦିଆଯାଇଛି । ୨୦୧୮ ମସିହାରେ ତତ୍କାଳୀନ ରକ୍ଷାମନ୍ତ୍ରୀ ଜିମ୍ ମାଟିସ୍ ‘Pacific’ ସହ ‘Indo’ ଯୋଡ଼ି ଏହାର ନାମକୁ ‘Indo-Pacific Command’ କରିଥିଲେ। ବର୍ତ୍ତମାନ ଆମେରିକା ସେହି ନିଷ୍ପତ୍ତିକୁ ପଲଟାଇ ପୁରୁଣା ନାମକୁ ଫେରିଛି।

ଆମେରିକାର ୱାର ଡିପାର୍ଟମେଣ୍ଟ କହିଛି ଯେ, ଏହି ପଦକ୍ଷେପ କମାଣ୍ଡର ଐତିହାସିକ ପରିଚୟ ଓ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ନିଆଯାଇଛି। ତେବେ ଏହାର ନାମ ପରିବର୍ତ୍ତନ ହେଲେ ମଧ୍ୟ କମାଣ୍ଡର ଦାୟିତ୍ୱ, କାର୍ଯ୍ୟକ୍ଷେତ୍ର ଓ ସାମରିକ ମିଶନରେ କୌଣସି ପରିବର୍ତ୍ତନ ହେବନି ବୋଲି ସ୍ପଷ୍ଟ କରାଯାଇଛି।

ଏହା ମଧ୍ୟରେ USPACOMର ଅଫିସିଆଲ ୱେବସାଇଟ୍‌ରେ ଥିବା ଦାୟିତ୍ବ କ୍ଷେତ୍ର ମାନଚିତ୍ର ବା ‘Area of Responsibility Map’କୁ ନେଇ ବିବାଦ ଦେଖାଦେଇଛି। ସେହି ମାନଚିତ୍ରରେ ପାକିସ୍ତାନ ଅଧିକୃତ କାଶ୍ମୀର (PoK)କୁ ପାକିସ୍ତାନର ଅଂଶ ଭାବେ ଦର୍ଶାଯାଇଥିବାରୁ ଭାରତରେ ଅସନ୍ତୋଷ ପ୍ରକାଶ ପାଇଛି।

୧୯୪୭ ମସିହାରେ ସ୍ଥାପିତ ଏହି କମାଣ୍ଡ ଆମେରିକାର ସବୁଠାରୁ ପୁରୁଣା ଓ ବଡ଼ ସାମରିକ କମାଣ୍ଡଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ହାୱାଇରେ ଅବସ୍ଥିତ ଏବଂ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ପୂର୍ବ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଏସିଆର ବିଶାଳ ଅଞ୍ଚଳର ସାମରିକ କାର୍ଯ୍ୟକଳାପ ତଦାରଖ କରିଥାଏ।

ଏହି ନାମ ପରିବର୍ତ୍ତନକୁ ନେଇ ଭାରତରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିଛି। କଂଗ୍ରେସ ସାଂସଦ ଶଶି ଥରୁର ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା କ୍ବାଡ୍ ଗୋଷ୍ଠୀଙ୍କୁ ଆଉ ଝଟକା । ତାଙ୍କର ଏହି ମନ୍ତବ୍ୟ ପରେ ‘Indo’ ଶବ୍ଦ ହଟାଇବାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ତଥାପି ଆମେରିକୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ନାମ ପରିବର୍ତ୍ତନ ମାତ୍ର। Indo-Pacific ଅଞ୍ଚଳରେ ସୁରକ୍ଷା, ସାମୁଦ୍ରିକ ସହଯୋଗ ଏବଂ ମିତ୍ର ଦେଶମାନଙ୍କ ସହ ରଣନୀତିକ ସମ୍ପର୍କ ପୂର୍ବଭଳି ଜାରି ରହିବ।

 

Leave A Reply

Your email address will not be published.