କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ହାଇକୋର୍ଟରେ ଦାୟର ହୋଇଛି ମାମଲା। SIT ତଦନ୍ତ ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଗାଇଡଲାଇନ ପ୍ରସ୍ତୁତ ପାଇଁ ଦାବି ହୋଇଥିବା ବେଳେ ବିବାଦ ସମୟର CCTV, ମେଡିକାଲ୍ ରିପୋର୍ଟ ସଂରକ୍ଷିତ ରଖିବାକୁ ମଧ୍ୟ ଦାବି ହୋଇଛି।
ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସରପଞ୍ଚ ଚାମେଲି ଓଝା। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ଏହା ସହ ଘରକୁ ଯାଇ ପୁଣି କାର୍ଯ୍ୟରେ ଯୋଗ ଦେବେ। ବିରୋଧ କରୁଥିବା ଲୋକଙ୍କ ସହ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଚାମେଲି। ସେ ଚିଠିରେ ଲେଖିଛନ୍ତି ଯେ, ବରିଷ୍ଠ ଅଧିକାରୀମାନେ ମୋତେ ଅତ୍ୟାଚାର କରିଛନ୍ତି । ମୁଁ ଜଣେ ସାଧାରଣ ସରପଞ୍ଚ । ମୁଁ ଜଣେ ଅବିବାହିତ ଝିଅ, ମୋର ସାମାଜିକ ପ୍ରତିଷ୍ଠା ଓ ସ୍ବାଭିମାନ ହିଁ ମୋର ଜୀବନ । ମହାକାଳପଡ଼ା ଅଂଚଳରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ମୁଁ କାର୍ଯ୍ୟ କରି ଆସୁଛି। ଆଜି ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ, ମୋତେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନା ଓ ଷଡ଼ଯନ୍ତ୍ର ଯୋଗୁଁ ଏକ ମିଛ ମାମଲାରେ ଫସାଇ ଦେଇଛନ୍ତି। ଆପଣଙ୍କ ମନ୍ କି ବାତ୍ ଶୁଣି ଦେଶ ଗଠନରେ ନିଜକୁ ନିୟୋଜିତ କରିଥିଲି। ୨୦୨୨ ମସିହାରୁ ମୁଁ ସରପଞ୍ଚ ଭାବେ କାର୍ଯ୍ୟ କରି ଆସୁଛି। ମୁଁ ମୋର ଯନ୍ତ୍ରଣା ଓ ଅସହାୟତା ସଂପର୍କରେ ଜଣାଇବା ପାଇଁ ଏହି ଚିଠି ଲେଖିଥିବା ନେଇ ଚାମେଲି କହିଛନ୍ତି ।
ଅପରପକ୍ଷରେ ମହାକାଳପଡା ବିଡିଓଙ୍କ ଅଫିସରେ ୧୧ ତାରିଖରେ କଣ ହୋଇଥିଲା ? କିଏ କାହାକୁ ଗାଳି କରିଥିଲା ? ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ଚାମେଲି ମୋବାଇଲ ଫେରି ପାଇବା ପରେ ପ୍ରତିଦିନ ଆସୁଛି ନୂଆ ନୂଆ ଭିଡିଓ । ଆଜିର ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ଓ ଚାମେଲିଙ୍କ ମଧ୍ଯରେ ପାଟିତୁଣ୍ଡ ଯୁକ୍ତିତର୍କ ହେଉଛି । ବିଡିଓଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ ଘଟିଥିଲା ଏହି ବିବାଦୀୟ ଘଟଣା ।
ସୂଚନା ଥାଉକି ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଗତକାଲି ଜାମିନ୍ ମିଳିଛି। ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ SDJM କୋର୍ଟ। ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା ଜାମିନ୍। ୩୦ ହଜାର ଟଙ୍କା ୨ ଜାମିନ୍ଦାରଙ୍କ ବଦଳରେ ମିଳିଲା ଜାମିନ୍। ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ। ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।
