ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ଇନ୍ସପେକ୍ଟର ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇଛି।
ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଘଟଣାର ନିରପେକ୍ଷ ଓ ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ଦ୍ୱାରା କରାଯିବ ବୋଲି ସୂଚନା ମିଳିଛି।
ସେହିପରି, ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଇନ୍ସପେକ୍ଟର ସୁଜିତ ଦାସଙ୍କୁ ଯଥାଶୀଘ୍ର ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଯାହାପରେ ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ ପାଇଁ ଫୋନ୍ ନମ୍ବର ନେଇଥିଲେ। କିନ୍ତୁ ପରେ ଅଶ୍ଳୀଳ ଫଟୋ ପଠାଇବା ସହ ଫେବର ପାଇଁ ମଧ୍ୟ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।
