ନୂଆଦିଲ୍ଲୀ: ଆମେରିକାରେ ଚାକିରି କରି ସେଠାରେ ସ୍ଥାୟୀ ଭାବେ ରହିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍ମାନଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ଭାରତୀୟ ଟେକିଙ୍କୁ ଆମେରିକାରୁ ତଡ଼ିଦେବାର ଧମକ ଦେଇ ପ୍ରାୟ ୮୧ ଲକ୍ଷ ଟଙ୍କା ମାଗିବା ଅଭିଯୋଗ ହୋଇଛି ଏକ ଆମେରିକୀୟ ଆଇଟି କମ୍ପାନୀ ବିରୋଧରେ। ପଇସା ନଦେଲେ ଭିଜା ରଦ୍ଦ କରି ଦେଶରୁ ବାହାର କରିଦେବାକୁ ମିଳିଛି ଧମକ।
ଆମେରିକାରେ ଭଲ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖିଥିଲେ ଭାରତର ଋଷିକେଶ ରାଜ୍ ମୀସାଲା। ୨୦୨୩ ମସିହାରେ ଆମେରିକାରେ ମାଷ୍ଟର୍ସ ପଢ଼ା ଶେଷ କରିବା ପରେ ତାଙ୍କୁ ଟେକ୍ସାସ୍ର ଏକ ଆଇଟି କମ୍ପାନୀରେ H1B ଭିଜା ସ୍ପୋନ୍ସରସିପ୍ ସହ ଚାକିରି ମିଳିଥିଲା। ହେଲେ ସେ ଜାଣିନଥିଲେ ଯେ ଏହି ଚାକିରି ତାଙ୍କ ପାଇଁ ଏକ ବଡ଼ ଅଭିଶାପ ପାଲଟିବ। କମ୍ପାନୀ ତାଙ୍କୁ ଦୀର୍ଘ ଦିନ ଧରି ‘ବେଞ୍ଚ୍’ରେ ରଖିଲା, ଅର୍ଥାତ୍ କୌଣସି ନିୟମିତ କାମ ଦେଲାନାହିଁ।
ଆମେରିକୀୟ ନିୟମ ଅନୁସାରେ, H1B ଭିଜାଧାରୀଙ୍କ ପାଇଁ ନିୟମିତ ଦରମା ଏବଂ ପେରୋଲ୍ ରେକର୍ଡ ରହିବା ଜରୁରୀ। ଅଭିଯୋଗ ହୋଇଛି ଯେ, କମ୍ପାନୀ ମ୍ୟାନେଜମେଣ୍ଟ ଏହି ନିୟମର ଫାଇଦା ଉଠାଇ ଋଷିକେଶଙ୍କ ଉପରେ ଚାପ ପକାଇବା ଆରମ୍ଭ କଲା। ଆମେରିକାରେ ରହିବାକୁ ହେଲେ ମୋଟା ଅଙ୍କର ଟଙ୍କା ଦେବାକୁ କୁହାଗଲା। ଋଷିକେଶ ମନା କରିବାରୁ ତାଙ୍କୁ ଇମିଗ୍ରେସନ ଅଫିସରଙ୍କ ଜରିଆରେ ଡିପୋର୍ଟ ବା ଦେଶରୁ ତଡ଼ିଦେବାକୁ ବ୍ଲାକମେଲ୍ କରାଗଲା। ଏପରିକି ଭାରତରେ ଥିବା ତାଙ୍କ ପରିବାର ଉପରେ ମଧ୍ୟ ଚାପ ପକାଗଲା। ଭୟରେ ଋଷିକେଶ ପ୍ରଥମେ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ ମଧ୍ୟ କମ୍ପାନୀର ଶୋଷଣ କମିନଥିଲା।
ଶେଷରେ କୌଣସି ଉପାୟ ନପାଇ ଋଷିକେଶ ଆମେରିକାର ଏକ ଇମିଗ୍ରେସନ ଲ’ ଫର୍ମ ସହାୟତାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ବାକି ଥିବା ଦରମା ଏବଂ ଜବରଦସ୍ତି ଆଦାୟ କରାଯାଇଥିବା ଅର୍ଥକୁ ମିଶାଇ ପ୍ରାୟ ୯୭,୨୪୮ ଡଲାର ଫେରସ୍ତ ପାଇଁ ସେ ଆବେଦନ କରିଛନ୍ତି। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଆମେରିକାରେ H1B ଭିସାଧାରୀମାନେ ନିଜ ଚାକିରି ଓ ଭିସା ସ୍ଥିତି ପାଇଁ କେତେ ସଂବେଦନଶୀଳ ପରିସ୍ଥିତିରେ ରହୁଛନ୍ତି। ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ଅଛି ଏବଂ ସାରା ବିଶ୍ୱର ନଜର ଏହାର ରାୟ ଉପରେ ରହିଛି।
