Latest Odisha News

BREAKING NEWS

ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ

ମୟୂରଭଞ୍ଜ: ବାରିପଦାରେ ଚାଞ୍ଚଲ୍ୟ ଜିନିଷ ସାମ୍ନାକୁ ଆସିଛି। ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି। ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା। ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର ମାଛର ଜୀବାଶ୍ମ ପାଇଛନ୍ତି। ଏହାସହ କୁମ୍ଭୀର, ବିଭିନ୍ନ ପ୍ରକାରର ମାଛ ଏବଂ ଶାମୁକା ଜାତୀୟ ଜୀବଙ୍କ ଅବଶେଷ ମିଳିଛି ।

ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରିମୋଟ୍ ସେନ୍ସିଂ ଏବଂ ଜିଆଇଏସ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ନନ୍ଦୀ ଏହି ଜୀବାଶ୍ମ ଠାବ କରିଛନ୍ତି। ବାରିପଦା ସହରରେ ଏହି ଜୀବାଶ୍ମ ଠାବ କରାଯାଇଛି। ଏହି ବିଶାଳକାୟ ଜୀବାଶ୍ମ ସାର୍କ ମାଛର ଥିବା ଅନୁମାନ କରାଯାଉଛି। ଏଥିରେ ସାର୍କ ଦାନ୍ତ ଏବଂ ସାର୍କ ମାଛର କଟିବନ୍ଧ ସହ ଅନ୍ୟ କିଛି ଉପାଦାନ ମଧ୍ୟ ସାମିଲ ଅଛି। ଯାହାକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ। ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ କିଛି ଜୀବାଶ୍ମ ପରି ଅବଶେଷ ଦେଖିଥିଲେ। ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେମାନେ ଏହା ଅସୁର ହାଡ଼ ବୋଲି କହିଥିଲେ।

ଏହି ଜୀବାଶ୍ମଗୁଡ଼ିକ ଦର୍ଶାଉଛି ଯେ ସମୁଦ୍ର ଏବେ ବାରିପଦାଠାରୁ ପ୍ରାୟ ୬୦ କିଲୋମିଟର ଦୂରକୁ ଘୁଞ୍ଚି ଯାଇଛି। ଏହି ପଥର ପାଲଟିଯାଇଥିବା ଶକ୍ତ ଅବଶେଷଗୁଡ଼ିକୁ ସ୍ଥାନୀୟ ଲୋକେ ପୂର୍ବରୁ ଅସୁର ହାଡ଼ ବୋଲି କହୁଥିଲେ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷକ ଏବଂ INTACH ପକ୍ଷରୁ ଏହି ସ୍ଥାନର ସୁରକ୍ଷା ପାଇଁ ଦାବି କରାଯାଇଛି। ବୁଢ଼ାବଳଙ୍ଗ ନଦୀ ଶଯ୍ୟାରେ ଥିବା ଏହି ଅଞ୍ଚଳକୁ ଏକ ସଂରକ୍ଷିତ ସାମୁଦ୍ରିକ ଜୀବାଶ୍ମ ପାର୍କ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଯାହାଦ୍ୱାରା ଏଠାରେ ବୈଜ୍ଞାନିକ ଗବେଷଣା ଓ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି।

Leave A Reply

Your email address will not be published.