Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ ସଞ୍ଜୟଙ୍କ ବିସ୍ଫୋରକ ପୋଷ୍ଟ…
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଶିବସେନା ଭିତରେ ବଡ଼ ଧରଣର ଅସନ୍ତୋଷ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ୬ ଜଣ ଲୋକସଭା ସାଂସଦ ଏକନାଥ ଶିନ୍ଦେ ଶିବିରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ରହସ୍ୟମୟ ପୋଷ୍ଟ କରି ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛନ୍ତି।
ସଞ୍ଜୟ ରାଉତ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଥିଲେ, “କିଛି ଲୋକ କୁକୁର ତ ହୋଇଥାନ୍ତି, କିନ୍ତୁ ବିଶ୍ୱସ୍ତ ନୁହଁନ୍ତି”। ଏହା ସହ “ଜୟ ମହାରାଷ୍ଟ୍ର” ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଏହି ପୋଷ୍ଟକୁ ନେଇ ଏବେ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଛି।
ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଶିବସେନା (UBT) ସଂସଦୀୟ ଦଳ ବୈଠକରେ ଦଳର ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତ ରହିଥିଲେ। କେବଳ ଅରବିନ୍ଦ ସାୱନ୍ତ, ଅନିଲ ଦେଶାଇ ଏବଂ ରାଜାଭାଉ ୱାଜେ ବୈଠକରେ ଯୋଗ ଦେଇଥିଲେ। ଅନୁପସ୍ଥିତ ସାଂସଦମାଙ୍କ ଭିତରେ ଥିଲେ, ନାଗେଶ ଆଷ୍ଟିକର, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଧବ, ସଞ୍ଜୟ ଦିନା ପାଟିଲ, ଓମପ୍ରକାଶ ରାଜେନିମ୍ବାଲକର ଏବଂ ଭାଉସାହେବ ୱାକଚୌରେ।
ଏହାକୁ ନେଇ ସଞ୍ଜୟ ରାଉତ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ସାଂସଦମାନେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ଲୋକସଭାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦଳ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।
ଅନ୍ୟପଟେ, ଶୁକ୍ରବାର ଶିବସେନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଭାଷଣ ଦେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଥିଲେ। ଶିନ୍ଦେ କହିଥିଲେ, “ଗତ କିଛି ଦିନ ଧରି କିଛି କୁକୁର ଭୁକୁଛନ୍ତି, କିନ୍ତୁ ଆପଣମାନଙ୍କ ସାମ୍ନାରେ ଗୋଟିଏ ବାଘ ଠିଆ ହୋଇଛି। କୁକୁରମାନେ ଦଳ ବାନ୍ଧି ଭୁକନ୍ତି, କିନ୍ତୁ ବାଘ ସବୁବେଳେ ଏକା ଆସେ।” ସେ ଆହୁରି କହିଥିଲେ, “ଏହା କେବଳ ଟ୍ରେଲର, ପୂରା ଫିଲ୍ମ ଏବେ ବାକି ଅଛି। ଆଗକୁ କଣ ହେବ ଅପେକ୍ଷା କରନ୍ତୁ।” ଶିନ୍ଦେଙ୍କ ଏହି ବୟାନ ଓ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା ପରେ ମହାରାଷ୍ଟ୍ର ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି।
