Latest Odisha News

BREAKING NEWS

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତନାଘନା ଆରମ୍ଭ, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଶୁକ୍ରବାର ତଦନ୍ତ ହୋଇଛି। ତନାଘନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗଠିତ କମିଟି। କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ ତନାଘନା ଆରମ୍ଭ କରିଛନ୍ତି। ଏହାକୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗଣଶିକ୍ଷା ସଚିବ ଏନ. ଥିରୁମାଲା ନାଏକ ଉପସ୍ଥିତ ଥିଲେ। ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ ବୋଲି ସୂଚନା ମିଳିଛି।

ପ୍ରଥମ ଦିନରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସଚିବ ୩ ଜଣିଆ କମିଟି ପାଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି। ସେହିପରି ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମଧ୍ୟ ବହି ଛପା ସମ୍ପର୍କିତ ସବୁ ତଥ୍ୟ କମିଟିକୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ତ୍ରୁଟି ପାଇଁ ଦୋଷୀ ଖୋଜିବାକୁ ତଦନ୍ତ କମିଟି ଗଠନ ହୋଇଛି। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ସାଧାରଣ ପ୍ରଶାସନ ବିଭାଗ ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଆଜି ତଦନ୍ତର ପ୍ରଥମ ଦିନରେ ପାଠ୍ୟପୁସ୍ତକ ପ୍ରସ୍ତୁତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି)ରୁ ଲୋକସେବା ଭବନକୁ ଯାଇଛି।

ଉନ୍ନୟନ କମିଶନର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍‌ ତିରୁମାଳା ନାଏକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଏହା ପୂର୍ବରୁ ଗଣଶିକ୍ଷା ସଚିବ ଏସ୍‌ସିଇଆର୍‌ଟି ଅଫିସକୁ ଆସିଥିଲେ। ସେଠାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ବହିରେ ଥିବା ତ୍ରୁଟିକୁ ଯାଞ୍ଚ କରିଥିଲେ। ଏନସିଇଆରଟି ବହିରୁ ଅନୁବାଦ ହୋଇଥିବାରୁ ଏନସିଇଆରଟି ବହିର ଉକ୍ତ ବିଷୟକୁ ମଧ୍ୟ ଖୋଲି ଦେଖିଥିଲେ। ଏନସିଇଆରଟି ବହିରେ ଝାଡ଼ଖଣ୍ଡ ରାଜ୍ୟରେ ନିୟମଗିରି ଥିବା ଉଲ୍ଲେଖ ହୋଇଥିବା ଦେଖିବାକୁ ପାଇଥିଲେ। ଗଣଶିକ୍ଷା ସଚିବ ଏସସିଇଆରଟିରୁ ବାହାରିବା ପରେ ଲୋକସେବା ଭବନ ଯାଇଥିଲେ। ସେଠାରେ ଉନ୍ନୟନ କମିଶନରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସହ ତଥ୍ୟ ଉପସ୍ଥାପନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉନ୍ନୟନ କମିଶନର ସଚିବଙ୍କୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଦାୟିତ୍ୱରେ ଥିବା ବ୍ୟକ୍ତି, କମିଟିର ସବିଶେଷ ତଥ୍ୟ ନେଇଛନ୍ତି। କେଉଁ ବାବଦକୁ କେତେ ଟଙ୍କା ଦିଆଯାଇଛି ତାକୁ ମଧ୍ୟ ପଚାରିଥିଲେ। ବିଷୟ ପାଇଁ ଗଠନ ହୋଇଥିବା କମିଟିରେ କିଏ କିଏ ଥିଲେ ତାକୁ ପଚାରି ବୁଝିଥିଲେ। ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକ, ପ୍ରଫେସର, ଶିକ୍ଷାବିତଙ୍କୁ ନେଇ କମିଟି ହୋଇଥିଲା କି ନାହିଁ ତାକୁ ବୁଝିଥିଲେ।

Leave A Reply

Your email address will not be published.