କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ରଫ ଅଭିଯୁକ୍ତ ହେଲା ବିଶ୍ବଜିତ ମହାପାତ୍ର । ଚାମେଲିଙ୍କ ଏତଲା ଆଧାରରେ ବିଶ୍ବଜିତକୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।
ଅଭିଯୋଗ ଅନୁଯାୟୀ, ତିଖିରି ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଥିବା ବେଳେ ପ୍ରାୟ ସାତ ଜଣ ବ୍ୟକ୍ତି ତାଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର କରିଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହାକାଳପଡ଼ା ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ, ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ, ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା କେନ୍ଦ୍ରାପଡ଼ା ଜିଲ୍ଲାର ସରପଞ୍ଚ ସଂଘ । ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ସରପଞ୍ଚି ସଂଘ । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡ଼ା ସୁରକ୍ଷା ଭିତରେ ରହିଛି ।
