ନୂଆଦିଲ୍ଲୀ: ସେଥିପାଇଁ ବୋଧହୁଏ କୁହାଯାଏ, ସ୍ୱପ୍ନ ଦେଖିବାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ବୟସ ସୀମା ନଥାଏ। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଥିଲେ ଯେକୌଣସି ସମୟରେ ନୂଆ ଆରମ୍ଭ କରାଯାଇପାରେ, ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି ଜଣେ ୫୦ ବର୍ଷୀୟା ମହିଳା।
ଦୀର୍ଘ ୩୫ ବର୍ଷର ବ୍ୟବଧାନ ପରେ ଜଣେ ଛାତ୍ରୀ ସାଜି ସେ କଲେଜ୍ ପରୀକ୍ଷା ହଲ୍କୁ ଫେରିଛନ୍ତି। ସୋସିଆଲ ମିଡିଆରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି।
ଭାଇରାଲ ହେଉଥିବା କ୍ଲିପ୍ରେ ଦେଖିବାକୁ ମିଳିଛି ଯେ, ମଞ୍ଜୁ ନାରଙ୍ଗ ନାମକ ଜଣେ ୫୦ ବର୍ଷୀୟା ମହିଳା ପୂରା ଆତ୍ମବିଶ୍ୱାସ ଓ ମୁହଁରେ ହସ ନେଇ କଲେଜ୍ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଛନ୍ତି। ତାଙ୍କ ଚାରିପାଖରେ ତାଙ୍କଠାରୁ ବୟସରେ ବହୁତ ଛୋଟ ପିଲାମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ ମଞ୍ଜୁଙ୍କ ଚେହେରାରେ କୌଣସି ସଙ୍କୋଚ ବା ଡର ଦେଖିବାକୁ ମିଳିନାହିଁ।
କ୍ୟାମେରା ଆଡ଼କୁ ଚାହିଁ ସେ ବେଶ୍ ଖୁସିର ସହ କହୁଛନ୍ତି, “ଗାଇଜ୍, ଆଜି ମୋର କଲେଜ୍ ପରୀକ୍ଷା ଅଛି ଏବଂ ଆଜି ମୁଁ ପରୀକ୍ଷା ଦେବାକୁ ଯାଉଛି।” ଏହି ସମୟରେ ପଛରେ ଛିଡ଼ା ହୋଇ ତାଙ୍କ ପୁଅ ତାଙ୍କୁ ଉତ୍ସାହିତ କରି ‘ଅଲ୍ ଦି ବେଷ୍ଟ୍’ କହୁଥିବା ଶୁଣିବାକୁ ମିଳୁଛି।
ଇନଷ୍ଟାଗ୍ରାମରେ ଏହି ଭିଡିଓଟି ସେୟାର ହେବା ପରେ ଏହାକୁ ଲକ୍ଷେରୁ ଅଧିକ ଲୋକ ପସନ୍ଦ କରିସାରିଛନ୍ତି। ଭିଡିଓ ଉପରେ ଏକ ମଜାଦାର ଲେଖା ମଧ୍ୟ ରହିଛି, ଯେଉଁଥିରେ ଲେଖାଯାଇଛି- “୩୫ ବର୍ଷ ବିତିଗଲାଣି, ହେଲେ ତଥାପି ତୁମେ ନିଜର ବ୍ୟାକ୍ ପେପର କ୍ଲିୟର କରୁଛ।”ଇଣ୍ଟରନେଟ୍ରେ ପ୍ରଶଂସାର ସୁଅ ମଞ୍ଜୁଙ୍କର ଏହି ନିଆରା ପ୍ରୟାସ ଇଣ୍ଟରନେଟ୍ ୟୁଜରଙ୍କ ହୃଦୟ ଜିତି ନେଇଛି।
ଭିଡିଓରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇ ତାଙ୍କୁ ପୁରଷ୍କାର ଜଣାଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଜଣେ ମା’ ୫୦ ବର୍ଷ ବୟସରେ ମଧ୍ୟ ପାଠ ପଢ଼ିବାକୁ ଆଗେଇ ଆସିଛନ୍ତି।” ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, “ଆଣ୍ଟି, ଆପଣଙ୍କୁ ଦେଖି ଗର୍ବ ଅନୁଭବ ହେଉଛି।” ଘର-ସଂସାର, ପିଲାଛୁଆ ଏବଂ ଦାୟିତ୍ୱ ଭିତରେ ଅଧାରୁ ରହିଯାଇଥିବା ନିଜ ପାଠପଢ଼ା ସ୍ୱପ୍ନକୁ ସେ ପୁଣିଥରେ ଜୀବିତ କରିଛନ୍ତି।
ଶିକ୍ଷା ଗ୍ରହଣ କରିବାର କୌଣସି ଶେଷ ସମୟ ନଥାଏ ଏବଂ ଜ୍ଞାନ ଆହରଣ ପାଇଁ କେବଳ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି, ତାହା ମଞ୍ଜୁ ନାରଙ୍ଗ ନିଜ କାର୍ଯ୍ୟ ଦ୍ୱାରା ସମାଜକୁ ଦେଖାଇ ଦେଇଛନ୍ତି।
