ଚେନ୍ନାଇ: ତାମିଲନାଡୁରେ ପୁଣି ତେଜିଛି ହୋଇଛି ରାଜନୈତିକ ବିବାଦ। ଅଭିନେତାରୁ ତାମିଲନାଡୁର ସିଧା ମୁଖ୍ୟମନ୍ତ୍ରୀ ପାଲଟିଥିବା ଥାଲାପତି ବିଜୟ ଏବେ ନୂଆ ସରକାରଙ୍କୁ ନେଇ ବେଶ୍ କ୍ରିୟାଶୀଳ । ହେଲେ ପ୍ରତିଥର ତାଙ୍କ ସମର୍ଥକଙ୍କ କାର୍ଯ୍ୟ ଦ୍ବାରା ଅଡୁଆରେ ଫସିଯାଉଛନ୍ତି ବିଜୟ । ତାମିଲଗା ଭେଟ୍ରି କାଝଗମ୍ (TVK) କର୍ମୀମାନେ ଏକ ସରକାରୀ ସ୍କୁଲରେ ପ୍ରବେଶ କରି କ୍ଲାସ ଚାଲିଥିବା ବେଳେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଫଟୋ ଲଗାଇ ରିଲ୍ସ ତିଆରି କରିଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ପୋଷ୍ଟ କରିଛନ୍ତି ପୂର୍ବତନ BJP ନେତା କେ. ଅନ୍ନାମଲାଇ।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ଶେୟାର କରି ଅନ୍ନାମଲାଇ ଦାବି କରିଛନ୍ତି ଯେ, କାଞ୍ଚିପୁରମ ଜିଲ୍ଲାର ଉଥିରାମେରୁର ନିକଟସ୍ଥ ଏକ ସରକାରୀ ସ୍କୁଲରେ ୨୦ରୁ ଅଧିକ TVK କର୍ମୀ ପ୍ରବେଶ କରି କ୍ଲାସରୁମ୍ରେ ବିଜୟଙ୍କ ଫଟୋ ଟାଙ୍ଗିଥିଲେ ଏବଂ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପ୍ରସାର କରିଥିଲେ।
ଅନ୍ନାମଲାଇ କହିଛନ୍ତି, ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଶିକ୍ଷାର ମାନ ଓ ଭିତ୍ତିଭୂମି ସମସ୍ୟା ସହ ଲଢ଼ୁଥିବା ବେଳେ ଏଭଳି ଘଟଣା ସ୍କୁଲର ଗରିମାକୁ କ୍ଷୁଣ୍ଣ କରୁଛି। ସେ ଟିଭିକେ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍ କରି କହିଛନ୍ତି , ଯଦି ଟିଭିକେର କର୍ମକର୍ତ୍ତା ଏମିତି କାର୍ଯ୍ୟ କରନ୍ତି,ତ ଏହା କେବଳ ସରକାରୀ ସ୍କୁଲ ଗୁଡ଼ିକର ସ୍ଥିତିକୁ ଆହୁରି ଅଧିକ ଖରାପ କରିବ। ହେଲେ ଅନ୍ନାମଲାଇ କହିଛନ୍ତି ଯେ, ତାଙ୍କର ଆଶା ଯେ, ମୁଖ୍ୟମନ୍ତ୍ରୀ ବିଜୟ ଏହିପରି କାର୍ଯ୍ୟକୁ ସମର୍ଥନ କରିବେ ନାହିଁ। ସେ ମୁଖ୍ୟମନ୍ତ୍ରୀ ବିଜୟ ଓ ସ୍କୁଲ ଶିକ୍ଷାମନ୍ତ୍ରୀଙ୍କୁ ଏପରି ଘଟଣା ପୁଣି ନଘଟିବା ପାଇଁ ଦଳୀୟ କର୍ମୀଙ୍କୁ କଡ଼ା ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ତେବେ ଏହି ଅଭିଯୋଗ ଉପରେ TVK ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
