Latest Odisha News

BREAKING NEWS

ଜମି ଜମା ପଞ୍ଜୀକରଣରେ ସ୍ୱଚ୍ଛତା: ଓଡ଼ିଶାର ସବ୍‌-ରେଜିଷ୍ଟ୍ରାର୍ ଅଫିସରେ ଏଣିକି କ୍ୟାଶ୍‌ଲେସ୍ କାରବାର

ଭୁବନେଶ୍ୱର: ରାଜ୍ୟରେ ଜମି ଜମା ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଜନହିତକର କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟର ସମସ୍ତ ସବ୍‌-ରେଜିଷ୍ଟ୍ରାର୍ ଏବଂ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର୍ ଅଫିସଗୁଡ଼ିକରେ ନଗଦ ଟଙ୍କା କାରବାର ବଦଳରେ ସମ୍ପୂର୍ଣ୍ଣ ‘କ୍ୟାଶ୍‌ଲେସ୍‌’ ବା ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ କାରବାର ପ୍ରକ୍ରିୟା ସହଜ ହେବା ସହ ସାଧାରଣ ଲୋକେ ହଇରାଣ ହେବାରୁ ରକ୍ଷା ପାଇବେ।

 

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଡିଜିଟାଲ୍ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲୋକ ସେବା ଭବନଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ କାରବାର ପାଇଁ ରାଜ୍ୟର ବିଭିନ୍ନ ରେଜିଷ୍ଟ୍ରେସନ ଅଫିସରେ ପର୍ଯ୍ୟାୟକ୍ରମେ ପ୍ରାୟ ୩୫୦ଟି ପଏଣ୍ଟ ଅଫ୍ ସେଲ୍ ବା ସ୍ୱାଇପ୍ ମେସିନ୍ ସ୍ଥାପନ କରାଯିବ। ଇଣ୍ଡିଆନ୍ ବ୍ୟାଙ୍କ ଜରିଆରେ ଏହି ମେସିନଗୁଡ଼ିକ ଯୋଗାଇ ଦିଆଯିବ ଏବଂ ଏହାର ସମସ୍ତ ଖର୍ଚ୍ଚ ରାଜସ୍ୱ ବିଭାଗ ବହନ କରିବ।

 

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ତିନୋଟି ପ୍ରମୁଖ ସହର ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରର ସବ୍‌-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହାପରେ ଏହାର ସଫଳତାକୁ ଦେଖି ଅନ୍ୟ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଫିସକୁ ଏହା ସମ୍ପ୍ରସାରିତ ହେବ।

କାର୍ଯ୍ୟାଳୟରେ କାମର ଚାପ ଏବଂ ଦୈନିକ ପଞ୍ଜୀକରଣ ସଂଖ୍ୟାକୁ ଆଧାର କରି ମେସିନ ବଣ୍ଟାଯିବ। ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାରେ ଯେପରି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାମ ବନ୍ଦ ନରହେ, ସେଥିପାଇଁ ଏହି ପିଓଏସ ମେସିନଗୁଡ଼ିକର ୫ ବର୍ଷ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି କରାଯିବାର ବ୍ୟବସ୍ଥା ହୋଇଛି।

 

ବୈଠକର ନିଷ୍ପତ୍ତି ଅନୁଯାୟୀ, ସରକାରୀ ମଞ୍ଜୁରୀ ମିଳିବା ପରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରାଯିବ। ଏଥିସହିତ ପଞ୍ଜୀକରଣ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମେସିନ ପରିଚାଳନା ଏବଂ ଡିଜିଟାଲ୍ କାରବାର ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ କାର୍ଯ୍ୟାଳୟଗୁଡ଼ିକରେ ନଗଦ ଟଙ୍କା ଆଦାୟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ନିରୁତ୍ସାହିତ କରାଯିବ। କେବଳ କେତେକ ଜରୁରୀକାଳୀନ କିମ୍ବା ଅପରିହାର୍ଯ୍ୟ ପରିସ୍ଥିତିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଷେତ୍ରରେ କାର୍ଡ କିମ୍ବା ଅନଲାଇନ୍ ମାଧ୍ୟମରେ ହିଁ ଫି’ ଗ୍ରହଣ କରାଯିବ।

 

ସୂଚନାଯୋଗ୍ୟ, ସରକାର ପୂର୍ବରୁ ହିଁ ରାଜ୍ୟର ସମସ୍ତ ତହସିଲ କାର୍ଯ୍ୟାଳୟରେ ପଞ୍ଜୀକରଣ ସେବା ଉପଲବ୍ଧ କରାଇଛନ୍ତି, ଯାହାଦ୍ୱାରା ଲୋକଙ୍କ ସମୟ ବଞ୍ଚିବା ସହ ଅଫିସଗୁଡ଼ିକର କାମର ବୋଝ ମଧ୍ୟ କମିଛି। ଏବେ ଏହି କ୍ୟାଶ୍‌ଲେସ୍ ବ୍ୟବସ୍ଥା ସରକାରୀ ସେବା ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ସମୀକ୍ଷା ବୈଠକରେ ପଞ୍ଜୀକରଣ ମହାନିରୀକ୍ଷକ ଭର୍ଚ୍ଚୁଆଲ୍ ମାଧ୍ୟମରେ ସାମିଲ ହୋଇଥିବା ବେଳେ ଅର୍ଥ ବିଭାଗର ଯୁଗ୍ମ ସଚିବ, ଟ୍ରେଜେରି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.