ଦେବଗଡ଼:ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ଜଣ ମୃତ ଓ ୫ ଜଣ ଗୁରୁତର ହୋଇଛନ୍ତି। ଚଳନ୍ତା ବାଇକ୍ ଉପରେ ବଜ୍ରପାତ ହେବାରୁ ବାଇକ ସହ ୨ ଜଣ ବାଇକ ଆରୋହୀ ଜଳିଯାଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ବାରକୋଟ ବ୍ଳକ କାଉଁସିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ ।ଘଟଣାରେ ଆଉ ୪ ଜଣ ଆହତ ହୋଇଛନ୍ତି ।
ମୃତ ଦୁଇଜଣ ହେଲେ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାସାହି ଗ୍ରାମର ବୁବୁନ ସାମଲ ଓ ପିଟାସାହି ଗ୍ରାମର ଡୋଳାମଣୀ ପେଣ୍ଠେଇ। ବଜ୍ରାଘାତରେ ଗୁରୁତର ହୋଇଥିବା ୪ ଯୁବକଙ୍କ ଚିକିତ୍ସା ଚାଲିଛି।
ସୋମବାର ସନ୍ଧ୍ୟାରେ କଟାସାହି ଓ ପିଟାସାହି ଗ୍ରାମର ଛଅ ଜଣ ଯୁବକ ତିନୋଟି ମଟରସାଇକଲ ଯୋଗେ ରେଙ୍ଗାଳୀ ଡ୍ୟାମ ଭିତରେ ରହିଥିବା ବନାକାଲୋ ଗ୍ରାମ ଶିବ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ବାରକୋଟ ବ୍ଳକ କାଉଁସିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ ସେମାନଙ୍କ ବାଇକ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ବାଇକ୍ ସହ ୨ ଯୁବକ ଜଳିଯାଇଥିଲେ। ଆଉ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଅନ୍ୟ ଚାରି ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ।
ସେହିଭଳି ଦେବଗଡ଼ର ପତ୍ରାପାଲି ସାହିରେ ବଜ୍ରାଘାତରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହାତ ହୋଇଛନ୍ତି। ମୃତ ଯୁବକ ମିରଗିଡିଆ ସାହିର ରାଜା କାଣ୍ଡୁଳାନା। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।
