Latest Odisha News

BREAKING NEWS

ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ’

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍‌ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ।

ତେଣୁ ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ବାଘୁଆପାଳ-ବୁଢ଼ାପଙ୍କ, ହରିଦାସପୁର-ପାରାଦ୍ବୀପ, ଖୋରଧା ରୋଡ୍‌-ବଲାଙ୍ଗିର, ନୂଆପଡ଼ା-ଗୁଣୁପୁର, ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ଏବଂ ବୋବିଲି-ସାଲୁର ରେଳ ସେକ୍ସନ ମଧ୍ୟରେ କବଚ ପ୍ରକଳ୍ପ ହାତକୁ ନିଆଯିବ ।

ସୁରକ୍ଷା ‘କବଚ’ ରେଳଧାରଣା ଉପରେ ଟ୍ରେନ୍‌ର ଗତିବିଧି ଉପରେ ଅବିରତ ନଜର ରଖିଥାଏ । ଚାଳକ ଭୁଲ୍‌ରେ ସିଗ୍‌ନାଲ ଅତିକ୍ରମ କଲେ, ‘କବଚ’ ସତର୍କ ସୂଚନା ପଠାଇଥାଏ । ଏହା ସତ୍ତ୍ବେ ଚାଳକ ପଦକ୍ଷେପ ନ ନେଲେ, ଆପେଆପେ ବ୍ରେକ୍ ଲାଗିଯାଏ । ଖାଲି ସେତିକି ନୁହେଁ, ଅତି ଜରୁରୀ ପରିସ୍ଥିତିରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ଘଟଣାସ୍ଥଳକୁ ସିଗନାଲ୍ ପଠାଇଥାଏ ।

କବଚ ଜରିଆରେ ଘନକୁହୁଡ଼ି କିମ୍ବା ଅନ୍ୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଟ୍ରେନ୍ ସୁରକ୍ଷିତ ଭାବେ ଯାତ୍ରା କରିପାରିବ । ଲେବଲ୍ କ୍ରସିଂ, ବିପଜ୍ଜନକ ସ୍ଥାନରେ ଚାଳକଙ୍କୁ ଏହା ସତର୍କ କରିବ । ପୂର୍ବତଟ ରେଳପଥ ଅଧୀନରେ କବଚ କାର୍ଯ୍ୟକାରୀ ହେଲେ ଉଭୟ ଯାତ୍ରୀ ଓ ମାଲବାହୀ ଟ୍ରେନ୍‌ ନିରାପତ୍ତା ଅନେକାଂଶରେ ବୃଦ୍ଧି ପାଇବ ।

Leave A Reply

Your email address will not be published.