ଭୁବନେଶ୍ବର:ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍ ରେ ହଠାତ୍ କିଛି କଏଦୀ ଅସୁସ୍ଥ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହ । ସୂଚନାଥାଉକି, ୭ଜଣ କଏଦୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିବାବେଳେ, ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଏମ୍ସ ଏବଂ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ଜଣ କ୍ୟାପିଟାଲ୍ ହସ୍ପିଟାଲ ୱାର୍ଡରେ ରହିଥିବା ବେଳେ ଆଉ ୨ ଜଣ ଜେଲ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ତେବେ ସବୁଠୁ କଡ଼ାସୁରକ୍ଷା ବଳୟରେ ରହୁଥିବା ଝାରପଡ଼ା ସ୍ବତନ୍ତ୍ର କାରାଗାର ଭିତରକୁ ବ୍ରାଉନ୍ସୁଗାର୍ ଗଲା କେମିତି, କିଭଳି ଜେଲ୍ କର୍ତ୍ତୃପକ୍ଷ ଏହାର ସୂଚନା ପାଇଲେ ନାହିଁ , ଏନେଇ ଅନେକ ପ୍ରଶ୍ନ ଉଠିଛି ।
ଡିସିପି ଜଗମୋହନ ମୀନା କହିଛନ୍ତି, ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ବିଚାରଧୀନ କଏଦୀ ରହିଛନ୍ତି ।କାହିଁକି ଏଭଳି ସ୍ଥିତି ଉପୁଜିଲା ସେନେଇ ଆମେ ଜାଣିବାକୁ ଚେଷ୍ଟା କରୁଛୁ । ଡାକ୍ତରମାନେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଝାରପଡ଼ା ଜେଲରେ କଏଦୀମାନେ ସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ କରିଥିଲେ । ଏହାର ପ୍ରାୟ ୩ଘଣ୍ଟା ପରେ ସମସ୍ତେ ନିଜ ନିଜ ସେଲ୍କୁ ଯାଇଥିଲେ । ଏହାପରେ କଏଦୀମାନେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପାଟିରୁ ଲାଳ ଓ ଫେଣ ବାହାରିବା ସହ ବାନ୍ତି କରିଥିଲେ। ସେଲ୍ ଭିତରୁ କଏଦୀଙ୍କ ଚିତ୍କାର ଶୁଣି ୱାର୍ଡରମାନେ ଧାଇଁ ଆସିଥିଲେ। ଖବର ପାଇ ଜେଲ୍ ଅଧୀକ୍ଷକ ଓ ଜେଲର୍ ପହଞ୍ଚି ଅସୁସ୍ଥଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ।
କଏଦୀମାନେ ମାତ୍ରାଧିକ ନିଶାସେବନ କରିବାରୁ ଅସୁସ୍ଥ ହୋଇ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏପଟେ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲରେ ସ୍ୱତନ୍ତ୍ର ପୋଲିସ ଟିମ୍ ନିୟୋଜିତ କରାଯାଇଛି ।
