ଭୁବନେଶ୍ବର:ପୁଣି ଥରେ ରାଜଧାନୀରେ ବୁଲିଲା ଖଣ୍ଡା । ବିରିଆନୀ ବିଲ୍କୁ କେନ୍ଦ୍ର କରି ରାଜଧାନୀର ଜନଗହଳିପୂର୍ଣ୍ଣ ଶ୍ରୀୟା ଟକିଜ୍ ସାମ୍ନାରେ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦୁଇ ହାତରେ ଖଣ୍ଡା ଧରି ୪ ଜଣ ଦୁର୍ବୃତ୍ତ ସ୍ଥାନୀୟ ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଓ ଫାଷ୍ଟଫୁଡ୍ ଷ୍ଟଲ୍ଗୁଡ଼ିକୁ ହାଣି ଭଙ୍ଗାରୁଜା କରିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ଜଣେ ବିରିଆନୀ ଦୋକାନୀ ଗୁରୁତର ହୋଇଛନ୍ତି।
ବଜାରରେ ଆତଙ୍କରାଜ ସୃଷ୍ଟି କରିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି।
ଘଟଣାର ସୂଚନା ପାଇବା ସଙ୍ଗେ ସଙ୍ଗେ ପିସିଆର (PCR) ଭ୍ୟାନ୍ ଏବଂ ଖାରବେଳ ନଗର ଥାନା ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜ୍ କୁ ଯାଞ୍ଚ କରୁଛି।
ସୂଚନାଥାଉକି, ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଗୁପଚୁପ୍ ଦୋକାନର ବ୍ୟବସାୟୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ମାତ୍ର ୭୦ ଟଙ୍କା ପାଇଁ ଏକ ବିରିଆନୀ ଦୋକାନୀଙ୍କ ସହ ମଧ୍ୟ ସେମାନଙ୍କର ଝଗଡ଼ା ହୋଇଥିଲା। ଏହାପରେ ସେମାନେ ସେଠାରୁ ଚାଲିଯାଇଥିଲେ ଓ ପ୍ରତିଶୋଧ ନେବା ପାଇଁ ରାତି ପ୍ରାୟ ସାଢ଼େ ୯ଟାରେ ପୂରା ପ୍ରସ୍ତୁତି ସହ ଫେରିଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏକ ଆଭେଞ୍ଜର ବାଇକ୍ ଏବଂ ସ୍କୁଟିରେ ୪ ଜଣ ଦୁର୍ବୃତ୍ତ ଆସି ଘଟଣାସ୍ଥଳଠାରୁ ପ୍ରାୟ ୫୦ ଫୁଟ୍ ଦୂରରେ ଗାଡ଼ି ରଖିଥିଲେ। ଦୁଇ ହାତରେ ଦୁଇଟି ଲେଖାଏଁ ଲମ୍ବା ଖଣ୍ଡା ଧରି ସେମାନେ ଶ୍ରୀୟା ହଲ୍ ସାମ୍ନା ବଜାରରେ ଆତଙ୍କ ଖେଳାଇଥିଲେ। ସେମାନେ ସେହି ବିରିଆନୀ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । କେବଳ ସେତିକି ନୁହେଁ, ସେଠାରେ ଥିବା ଗୁପଚୁପ, ମୋମୋ ଏବଂ ଅନ୍ୟାନ୍ୟ ଫାଷ୍ଟଫୁଡ୍ ଦୋକାନଗୁଡ଼ିକୁ ମଧ୍ୟ ସେମାନେ ଖଣ୍ଡାରେ ହାଣି ଚୁରମାର କରିଦେଇଥିଲେ।
