Latest Odisha News

BREAKING NEWS

ଟିଏମସି ସଙ୍କଟ ମଧ୍ୟରେ ମହୁଆଙ୍କ ନୂଆ ଚାଲ୍‌: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ପ୍ରଶଂସା କରି ବଢ଼ାଇଲେ ରାଜନୈତିକ ସରଗରମ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଚାଲିଥିବା ଭେଦଭାବ ଓ ବିବାଦ ମଧ୍ୟରେ ଏବେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି।

 

ଦଳର ଫାୟାରବ୍ରାଣ୍ଡ୍ ସାଂସଦ ମହୁଆ ମୈତ୍ର ହଠାତ୍ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି। କୃଷ୍ଣନଗରର ସାଂସଦ ମହୁଆ କହିଛନ୍ତି ଯେ, ଆଜି ସେ ଓ ଶୁଭେନ୍ଦୁ ଦୁଇଟି ଭିନ୍ନ ରାଜନୈତିକ ଦଳରେ ଥାଇପାରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏକ ଭଲ ସମ୍ପର୍କ ରହିଛି।

 

ଏକ ସାକ୍ଷାତକାରରେ ନିଜ ରାଜନୈତିକ ଜୀବନର ପ୍ରାରମ୍ଭିକ ଦିନକୁ ମନେ ପକାଇ ମହୁଆ କହିଛନ୍ତି, “ବ୍ୟକ୍ତିଗତ ସ୍ତରରେ ଶୁଭେନ୍ଦୁଙ୍କ ସହ ମୋର ସମ୍ପର୍କ ସବୁବେଳେ ଭଲ ରହିଆସିଛି। ସେ ଯେତେବେଳେ ଟିଏମସିରେ ଥିଲେ, ମୋତେ ବହୁତ ସାହାଯ୍ୟ କରିଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିନେ ଯେତେବେଳେ ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ମିଳିନଥିଲା, ସେ ଭାଙ୍ଗିପଡ଼ି ସାରା ରାତି କାନ୍ଦିଥିଲେ। ସେହି ସମୟରେ କେବଳ ଶୁଭେନ୍ଦୁ ହିଁ ତାଙ୍କୁ ଶାନ୍ତ୍ୱନା ଦେଇ ଧୈର୍ଯ୍ୟ ଧରିବାକୁ କହିଥିଲେ। ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ଦଳୀୟ ଆଦର୍ଶରୁ ଉର୍ଦ୍ଧ୍ୱରେ ବୋଲି ସେ ମତ ଦେଇଛନ୍ତି।

 

ଟିଏମସିର ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବିଜେପି ନେତୃତ୍ୱାଧୀନ ଏନଡିଏ କ୍ୟାମ୍ପ ଆଡ଼କୁ ମୁହାଁଇଥିବା ବେଳେ ମହୁଆଙ୍କର ଏହି ବୟାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ମଧ୍ୟ ମମତାଙ୍କ ସାଥ୍ ଛାଡ଼ି ବିଦ୍ରୋହୀ ଶିବିରରେ ସାମିଲ ହେବେ କି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ମହୁଆ ସ୍ପଷ୍ଟ କରିଛନ୍ତି ଯେ, ସେ ଶୁଭେନ୍ଦୁଙ୍କ ଭଳି ସ୍ପଷ୍ଟବାଦୀ ନେତାଙ୍କୁ ସମ୍ମାନ କରନ୍ତି ଯେଉଁମାନେ ସାହସର ସହ ଦଳ ଛାଡ଼ି ଚାଲିଯାଆନ୍ତି। ମାତ୍ର ଯେଉଁମାନେ ଦଳ ଭିତରେ ରହି ପଛପଟୁ ବେଇମାନି କରନ୍ତି, ସେ ସେମାନଙ୍କର ଘୋର ବିରୋଧୀ।

 

ଅନ୍ୟପଟେ ଟିଏମସିର ନିୟନ୍ତ୍ରଣ କାହା ହାତରେ ରହିବ, ସେନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ବିଦ୍ରୋହୀ ଗୋଷ୍ଠୀ ମମତାଙ୍କୁ ଦଳୀୟ ସଭାପତି ପଦରୁ ହଟାଇ ଏକ ସମାନ୍ତରାଳ କମିଟି ଗଠନ କରିବା ପୂର୍ବରୁ ହିଁ ମମତା ନିଜ ଚାଲାକି ଦେଖାଇଛନ୍ତି। ମମତାଙ୍କ ଶିବିର ଦାବି କରିଛି ଯେ, ସେମାନେ ଦୁଇ ଦିନ ପୂର୍ବରୁ ଏକ ନୂତନ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରି ନିର୍ବାଚନ କମିଶନଙ୍କୁ ଜଣାଇ ସାରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଦ୍ରୋହୀମାନେ ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ମମତା ଦଳ ଉପରେ ନିଜର ଦାବି ସାବ୍ୟସ୍ତ କରିବାକୁ ସମସ୍ତ ପ୍ରକାର ଆଇନଗତ ପ୍ରସ୍ତୁତି ସାରିଛନ୍ତି। ଏଭଳି ପରିସ୍ଥିତିରେ ମହୁଆଙ୍କର ଏହି ନୂଆ ବୟାନ ପଶ୍ଚିମବଙ୍ଗ ରାଜନୀତିର ପାରଦକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.