ପ୍ରେମିକ ସହ ମିଶି ଭାଵି ସ୍ୱାମୀକୁ ପାହାଡ଼ରୁ ଠେଲି ଦେଲା ଝିଅ : ପୁଣେ ଲୋହଗଡ଼ ଦୁର୍ଗ ହତ୍ୟାକାଣ୍ଡର ସାଂଘାତିକ ଖୁଲାସା
ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ଐତିହାସିକ ଲୋହଗଡ଼ ଦୁର୍ଗରେ ଘଟିଥିବା କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ରୋମାଞ୍ଚକର ଓ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। କେତନଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନଥିଲା, ବରଂ ତାଙ୍କ ଭାବି ପତ୍ନୀ ସିୟା ଗୋୟଲ ନିଜ ପ୍ରେମିକ ଚେତନ ଚୌଧୁରୀଙ୍କ ସହ ମିଶି ରଚିଥିବା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ପୋଲିସ ଖୁଲାସା କରିଛି।
ଜୁନ୍ ୧୮ ତାରିଖରେ ଘଟିଥିବା ଏହି ବର୍ବର କାଣ୍ଡର ରହସ୍ୟ ଖୋଲିବା ପାଇଁ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ୍ କରିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ବର୍ଷ ଏକ ଦୀପାବଳି ପାର୍ଟିରୁ ସିୟା ଓ ଚେତନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସିୟା କେତନଙ୍କୁ ବିବାହ କରିବାକୁ ଆଦୌ ଚାହୁଁନଥିଲେ। ବିଗତ ୬ ମାସ ମଧ୍ୟରେ ସିୟା ଓ ତାଙ୍କ ପ୍ରେମିକ ଚେତନଙ୍କ ମଧ୍ୟରେ ପ୍ରାୟ ୨,୦୦୪ ଥର ଫୋନରେ କଥାବାର୍ତ୍ତା ହୋଇଥିଲା, ଯାହାର ସମୟ ପ୍ରାୟ ୨୩୮ ଘଣ୍ଟା ଥିଲା। ଏହି କଲ୍ ରେକର୍ଡରୁ ହିଁ ପୋଲିସର ସନ୍ଦେହ ଦୃଢ଼ ହୋଇଥିଲା।
ଘଟଣା ଦିନ ଟାଣ ଖରା ସତ୍ତ୍ୱେ ଚେତନ ମୁଣ୍ଡରେ ହୁଡି, କାନରେ ଇଅରମଫ୍ ଏବଂ ମୁହଁରେ ମାସ୍କ ପିନ୍ଧି ଲୋହଗଡ଼ ଦୁର୍ଗକୁ ଆସିଥିଲା। ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଯେ, ଚେତନ ସେଠାରେ ଇଶାରା ମାଧ୍ୟମରେ ସିୟା ସହ କଥା ହେଉଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ସିୟା ନିଜ ମଙ୍ଗେତର କେତନଙ୍କୁ ଦୁର୍ଗର ଏକ ଅତି ବିପଜ୍ଜନକ ଓ ଖସଡ଼ା ଜାଗାକୁ ନେଇଯାଇଥିଲେ ଏବଂ ସେଠାରୁ ତାଙ୍କୁ ଗଭୀର ଖାଇକୁ ଠେଲି ଦିଆଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ଜୁନ୍ ୧୪ ତାରିଖରେ ମଧ୍ୟ ସିୟା, କେତନଙ୍କୁ ସେହି ଦୁର୍ଗରୁ ଠେଲି ମାରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ଯୋଜନା ବିଫଳ ହେବାରୁ ସେ ହଠାତ୍ ‘ସାପ ବାହାରିଛି’ ବୋଲି ପାଟି କରି ସମସ୍ତଙ୍କ ଧ୍ୟାନ ହଟାଇ ଦେଇଥିଲେ। ଏହାପରେ ଏକ କ୍ୟାଫେରେ ବସି ଦୁହେଁ ଗୁଗଲ୍ ସାହାଯ୍ୟରେ ହତ୍ୟାର ନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ପ୍ରେମରେ ଅନ୍ଧ ସିୟାଙ୍କ କାରନାମା ଏତିକିରେ ସରିନଥିଲା। ଗତ ଜୁନ୍ ୪ ତାରିଖରେ କେତନ ଓ ସିୟାଙ୍କର ବାଲି ଯାଇ ପ୍ରି-ୱେଡିଂ ସୁଟିଂ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସିୟା କେତନଙ୍କ ସହ ଯିବାକୁ ଚାହୁଁନଥିଲେ। ମୁମ୍ବାଇ ଯିବା ବାଟରେ ଏକ ଫୁଡ୍ ମଲ୍ର ଶୌଚାଳୟ ଭିତରକୁ ଯାଇ ସିୟା, କେତନଙ୍କ ବ୍ୟାଗ୍ରୁ ତାଙ୍କ ପାସପୋର୍ଟ ବାହାର କରି ତାକୁ ଚିରି ଫ୍ଲଶ୍ କରିଦେଇଥିଲେ, ଯେପରିକି ବାଲି ଯାତ୍ରା ବାତିଲ ହୋଇଯିବ। ଏହାପରେ ସେ ଜୋର ଜବରଦସ୍ତ କେତନଙ୍କୁ ଲୋହଗଡ଼ ବୁଲିଯିବାକୁ ବାଧ୍ୟ କରିଥିଲେ।
ଏହି ଘଟଣା କେତନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେଇଛି। ଜୁନ୍ ୨୦ ତାରିଖରେ ସିୟାଙ୍କ ଜନ୍ମଦିନ ପାଳନ ପାଇଁ କେତନଙ୍କ ପରିବାର ପକ୍ଷରୁ ମହାବଳେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ୭୦ଟି ରୁମ୍ ବୁକ୍ କରାଯାଇଥିଲା। ଦୁଇ ପରିବାର ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ଥିବା ସତ୍ତ୍ୱେ ସିୟା ନିଜ ପ୍ରେମିକ ପାଇଁ କେତନଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିବେ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ବର୍ତ୍ତମାନ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।
