Latest Odisha News

BREAKING NEWS

ପୀତାମ୍ବର ପଣ୍ଡା ହତ୍ୟା ମାମଲା: କୋର୍ଟରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବହୁଚର୍ଚ୍ଚିତ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ଏହି ମର୍ଡର କେସ୍‌ର ଚୂଡ଼ାନ୍ତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଏହା ସହିତ ଦୀର୍ଘ ମାସ ଧରି ଚାଲିଥିବା ଏହି ହାଇପ୍ରୋଫାଇଲ୍ ଘଟଣାର ସରକାରୀ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣଚେଦ ପଡ଼ିଛି।

 

ମିଳିଥିବା ସୂଚନା ମୁତାବକ, ପୋଲିସ ପକ୍ଷରୁ କୋର୍ଟରେ ୩୯୬ ପୃଷ୍ଠାର ଏହି ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରାଯାଇଛି। ଗତ ବର୍ଷ ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତିରେ ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ବାସଭବନ ନିକଟରେ ପୀତାମ୍ବର ପଣ୍ଡାଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ହାଇପ୍ରୋଫାଇଲ୍ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଛି।

ବ୍ରହ୍ମପୁର ପୋଲିସ ପ୍ରାୟ ୩୦ ହଜାର ପୃଷ୍ଠାର ଏକ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ମାସ ମାସ ଧରି ଦିନରାତି ଏକ କରି ଏହି ମାମଲାର ଗୁମର ଖୋଲିବାରେ ଲାଗିଥିଲେ। ସାକ୍ଷୀମାନଙ୍କ ବୟାନ, ମୋବାଇଲ୍ କଲ୍ ଡିଟେଲ୍ସ , ଫୋରେନ୍ସିକ ରିପୋର୍ଟ ଏବଂ ଅନ୍ୟାନ୍ୟ ସାଇଣ୍ଟିଫିକ୍ ପ୍ରମାଣ ଆଧାରରେ ଏହି ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି, ଯାହା କୋର୍ଟରେ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ରର ଦୃଢ଼ ପ୍ରମାଣ ସାବ୍ୟସ୍ତ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.