Latest Odisha News

BREAKING NEWS

ପୂର୍ବତନ ଆଇଏଏସ ଅଧିକାରୀ ଦୁର୍ଗା ଚରଣ ସାହୁଙ୍କର ପରଲୋକ

ଭୁବନେଶ୍ୱର: ଜଣେ ସୁନାମଧନ୍ୟ ଲଖକ ତଥା ପୂର୍ବତନ IAS ଅଧିକାରୀ ଦୁର୍ଗା ଚରଣ ସାହୁଙ୍କର ଗତକାଲି (୨୪-୦୬-୨୦୨୬) ସନ୍ଧ୍ୟା ୬.୪୦ରେ  ଦେହାନ୍ତ ହୋଇଛି। ୭୬ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କର ପରଲୋକ ଘଟିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ (୧୯୭୪ ବ୍ୟାଚ୍)। ଦୁର୍ଗା ଚରଣ ସାହୁ ଜଣେ AGMUT କ୍ୟାଡର IAS ଅଧିକାରୀ ଏବଂ ପ୍ରସିଦ୍ଧ ଲେଖକ ମଧ୍ୟ ଥିଲେ। ଦୀର୍ଘ ୩୫ ବର୍ଷ ସେ ଓଡ଼ିଶା ବାହାରେ କାର୍ଯ୍ୟ କରି ଓଡିଶାକୁ ଫେରିଥିଲେ। ଦୁର୍ଗାଚରଣ ସାହୁ ଜଣେ ଆଇ.ଏ.ଏସ. ଅଫିସର ଭାବେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡ଼ରରେ କାର୍ଯ୍ୟରତ ଥିଲେ। ଅବସର ପରେ ସେ ନିଜକୁ ସାରସ୍ୱତ ସାଧନା, ସାଂସ୍କୃତିକ ଜଗତ ଓ ସମାଜସେବା ସହିତ ସଂପୃକ୍ତ କରି ଭୁବନେଶ୍ୱରରେ ଅବସ୍ଥାନ କରିଥିଲେ। ଗତକାଲି ତାଙ୍କର ଦେହାନ୍ତ ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି। ପାଠକ ଏବଂ ପ୍ରଶଂସକମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଓଡ଼ିଆ ଭାଷା ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ନିର୍ଭୁଲ ଓଡ଼ିଆ ଲେଖିବାରେ ସେ ସିଦ୍ଧହସ୍ତ ଥିଲେ। ଅବସର ସମୟରେ ସେ ଓଡ଼ିଆ ପୁସ୍ତକ ଲେଖିବା ଓ ଭୁବନେଶ୍ବରରେ ହେଉଥିବା ସାରସ୍ୱତ ସମ୍ମିଳନୀରେ ଯୋଗ ଦେବା ଥିଲା ତାଙ୍କର ଏକ ଭଲ ଅଭ୍ୟାସ। ସେ ନିଜ ଗାଁରେ ରହୁନଥିଲେ ମଧ୍ୟ ଗାଁ ପ୍ରତି ତାଙ୍କର ଯଥେଷ୍ଟ ଦୁର୍ବଳତା ଥିଲା। ଓଡ଼ିଆ ପାଲା ଦେଖିବା ତାଙ୍କର ବଡ଼ ସଉକ ଥିଲା। ସେ ଗୋଆ ପର୍ଯ୍ୟଟନ ଏବଂ ବିକାଶ ନିଗମର ସଚିବ ଥିଲେ। ସ୍ନାତକୋତ୍ତର ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପାଇଁ ସମାଜଶାସ୍ତ୍ର ଉପରେ ପାଠ୍ୟପୁସ୍ତକ ଲେଖିଥିଲେ। ଅବସର ପରେ ସେ ରାଧା କୃଷ୍ଣଙ୍କ ଉପରେ ଆଧାରିତ ଅନେକ ପୁସ୍ତକ, ଓଡ଼ିଶୀ ଫର୍ମାଟରେ ଗୀତ ଲେଖିଥିଲେ ଯାହା ଲୋକପ୍ରିୟ ଏବଂ ଉପଯୁକ୍ତ ଭାବରେ ସ୍ୱୀକୃତି ପାଇଥିଲା।

ତାଙ୍କର ବିଶେଷତ୍ତ୍ଵ ଏହି ଯେ ଅନେକ ବର୍ଷ ଓଡ଼ିଆ ଭାଷାଠାରୁ ଅଲଗା ରହିଲା ପରେ ମଧ୍ୟ ସେ ଉଚ୍ଚ ଶୈଳୀ ଓ ମାନର ଓଡ଼ିଆ ଲେଖାମାନଙ୍କୁ ଅନେକ ପୁସ୍ତକ ଓ ପତ୍ରପତ୍ରିକା ମାଧ୍ୟମରେ ପ୍ରକାଶିତ କରିପାରିବାରେ ସକ୍ଷମ ହୋଇପାରିଥିଲେ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ୧୯୮୦ ମସିହା ନିକଟବର୍ତ୍ତୀ କାଳରେ ଜଣେ ଯୁବକ ହିସାବରେ ସର୍ବପ୍ରଥମେ ସେ ଓଡ଼ିଆ ଭାଷାରେ ଆଇ.ଏ, ବି.ଏ. ଓ ଯୁକ୍ତ ଦୁଇ ସମାଜବିଜ୍ଞାନ ବିଷୟକ ଅନେକ ପାଠ୍ୟପୁସ୍ତକମାନ ରଚନା କରି ଓଡ଼ିଆରେ ସମାଜବିଜ୍ଞାନ ଶିକ୍ଷାର ଭିତ୍ତିଭୂମି ସ୍ଥାପନ କରିଥିଲେ। ତାହାଙ୍କୁ ଅନୁସରଣ କରି ଅନ୍ୟ ଅଧ୍ୟାପକମାନେ ଆଗେଇ ଗଲେ । ଫଳତଃ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ସମସ୍ତ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ମାଧ୍ୟମରେ ସମାଜବିଜ୍ଞାନ ଶିକ୍ଷାଦାନ ବ୍ୟାପକ ଭାବେ ସ୍ଥାପିତ ହୋଇପାରିଛି।

Leave A Reply

Your email address will not be published.