ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଲୋକସଭା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିରାପତ୍ତା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ନେତୃତ୍ୱରେ କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ଆବଶ୍ୟକତା, ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ କେତେ ଅନୁପାଳନ ହୋଇଛି ସେ ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ନିୟମିତ ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ସୁନିଶ୍ଚିତକରଣ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ଏମଡି ଡ. ବୃନ୍ଦା ଡ଼ି , ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ଡିନ ଓ ସୁପରିଟେଣ୍ଡଣ୍ଟମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
