Latest Odisha News

BREAKING NEWS

India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି ଡିଲ୍…’

ନୂଆଦିଲ୍ଲୀ: ‘ନୋ ମିନ୍ସ ନୋ’, ଆଭିମୁଖ୍ୟରେ ଭାରତ

ଗୋଟିଏ ସର୍ତ୍ତରେ ଅଟକିଛି, ଭାରତ-ଆମେରିକା ଟ୍ରେଡ୍ ଡିଲ୍!

ବହୁ ପ୍ରତୀକ୍ଷିତ ତଥା ବହୁଚର୍ଚ୍ଚିତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ବାରମ୍ବାର ଆମେରିକା ପକ୍ଷରୁ ମିଳିଚାଲିଥିଲା ସ୍ପଷ୍ଟ ସଙ୍କେତ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିବାର ଶୁଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଏହି ଚୁକ୍ତି ହେବ। ତଥାପି ଏପର୍ଯ୍ୟନ୍ତ କାହିଁକି ହୋଇପାରିନି ଭାରତ-ଆମେରିକା ଐତିହାସିକ ଚୁକ୍ତି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ, ଏବେ ଏନେଇ ବଡ ଖୁଲାସା କରିଛନ୍ତି ମୋଦି ସରକାରଙ୍କ ମନ୍ତ୍ରୀ ।

ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଗତ କିଛି ମାସ ଧରି ଚାଲିଥିବା ଜୋରଦାର ଆଲୋଚନା ଭିତରେ ଲଣ୍ଡନ ଗସ୍ତରେ ଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏକ ବଡ ସୂଚନା ଦେଇଛନ୍ତି । ମନ୍ତ୍ରୀ ସ୍ପଷ୍ଟ କରି କହିଛନ୍ତି, ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲେ ମଧ୍ୟ ଭାରତ ଏବେ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ନାହିଁ। କାରଣ, ଭାରତ ଚାହୁଁଛି ଆମେରିକା ତା’ର ବଜାରରେ ଭାରତୀୟ ସାମଗ୍ରୀକୁ ପ୍ରତିଦ୍ୱନ୍ଦ୍ୱୀ ଦେଶ ତୁଳନାରେ ଅଧିକ ଟାରିଫ୍ ସୁବିଧା ଦେଉ।

ଭାରତର ଯୁକ୍ତି ହେଉଛି, ଯଦି ଭାରତୀୟ ବସ୍ତ୍ର, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ ଓ ଅନ୍ୟ ଉତ୍ପାଦ ଉପରେ ଭିଏତନାମ କିମ୍ବା ବାଂଲାଦେଶ ଭଳି ଦେଶର ସମାନ ଟାରିଫ୍ ଲାଗୁ ହୁଏ, ତେବେ ଏହି ଟ୍ରେଡ୍ ଡିଲ୍‌ରୁ ଭାରତକୁ କୌଣସି ବଡ଼ ଆର୍ଥିକ ଲାଭ ମିଳିବ ନାହିଁ। ସେଥିପାଇଁ ଭାରତ ଚାହୁଁଛି ଯେ, ଭାରତୀୟ ରପ୍ତାନିକାରୀମାନେ ଆମେରିକାରେ ଏକ ପ୍ରତିଯୋଗିତାମୂଳକ ସୁବିଧା ପାଆନ୍ତୁ। ଏହା ହେଲେ ଦେଶର ରପ୍ତାନି ବଢ଼ିବ, ଶିଳ୍ପ କ୍ଷେତ୍ର ଶକ୍ତିଶାଳୀ ହେବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ। କିନ୍ତୁ ଯଦି ଭାରତୀୟ ସାମଗ୍ରୀ ଉପରେ ମଧ୍ୟ ସମାନ ଟାରିଫ୍ ଲାଗୁ ହୁଏ, ତେବେ ଭାରତୀୟ ରପ୍ତାନିକାରୀଙ୍କୁ ଏହି ଚୁକ୍ତିରୁ ବିଶେଷ ଲାଭ ମିଳିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି। ତେଣୁ ଆମେରିକା ସହିତ ଡିଲ୍ ସେତେବେଳେ ହେବ, ଯେତେବେଳେ ଭାରତର ଏହି ସବୁ ଦାବି ପୂରଣ ହେଉଥିବ ।

ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି, ଯେ ଆମେରିକା ଯେଉଁଦିନ ଭାରତକୁ ଟାରିଫ୍ ସୁବିଧା ଦେବା ପାଇଁ ସ୍ପଷ୍ଟ ବ୍ୟବସ୍ଥା କରିବ, ସେହିଦିନ ହିଁ ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରିବ। ଅର୍ଥାତ୍ ଭାରତର ସନ୍ଦେଶ ପୂରା ସ୍ପଷ୍ଟ, କେବଳ ଡିଲ୍ କରିବା ପାଇଁ ଡିଲ୍ ନୁହେଁ, ଦେଶର ହିତ ସୁରକ୍ଷିତ ହେଲେ ହିଁ ଆମେରିକା ସହିତ ଚୁକ୍ତି ହେବ। ପ୍ରଥମେ ଦେଶର ଆର୍ଥିକ ସ୍ୱାର୍ଥ, ତା’ପରେ ଟ୍ରେଡ୍ ଡିଲ୍।

ଯାହା ଏବେ ଭାରତ-ଆମେରିକା ଟ୍ରେଡ୍ ଡିଲକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚାଇଦେଇଛି । ଏବେ ସବୁ ନଜର ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ। ଆମେରିକା ଭାରତର ଦାବି ମାନୁଛି କି ନାହିଁ, ତାହା ଉପରେ ନିର୍ଭର କରିବ ବିଶ୍ୱର ଦୁଇ ବଡ଼ ଅର୍ଥନୀତି ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିର ଭବିଷ୍ୟତ।

Leave A Reply

Your email address will not be published.