ଭୁବନେଶ୍ୱର: ଆଇଏଏସ୍ ଅଫିସର ସାଜି ଚଲାଇଥିଲା ଲୁଟପାଟ। ବାବୁଙ୍କର ନିଶା ହେଉଛି ବ୍ରାଣ୍ଡେଡ ଜିନିଷ ହାତେଇବା। ନିଜକୁ ଆଇଏଏସ ଅଫିସର ପରିଚୟ ଦେଇ ଦାମୀ ଚଷମା କିଣୁଥିଲା। ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ। ଦାମୀ ଚଷମା କିଣି ଟଙ୍କା ନଦେବା ନକଲି ସବ୍ କଲେକ୍ଟରକୁ ମାହାଙ୍ଗା ପଡ଼ିଛି। ନକଲି ସବ କଲେକ୍ଟରକୁ ଗିରଫ କଲା ସହିଦନଗର ଥାନା ପୋଲିସ। ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଆସିଛି ବଡ଼ ଅଭିଯୋଗ। ନିଜକୁ କେତେବେଳେ ଆଇଏଏସ ଅଧିକାରୀ ତ କେତେବେଳେ ବିଭିନ୍ନ ସରକାରୀ ପଦ ପଦବୀ ଅଧିକାରୀ ବୋଲି ଦର୍ଶାଇ ମାଗଣାରେ ଜିନିଷ ଉଖାଳ କରିବା ବାବୁଙ୍କ ସଉକ।
ବିଶାଖାପାଟଣାର ବରଦା ସୁଧୀର ଭୁବନେଶ୍ୱରରେ ସବ୍ କଲେକ୍ଟର ସାଜି ଲୋକଙ୍କ ଉପରେ ରୋବ୍ ଜମାଉଥିଲା। ସୂଚନା ଅନୁସାରେ ରୂପାଲି ଅଞ୍ଚଳର ଏକ ଚଷମା ଦୋକାନରୁ ଚଷମା କିଣି ଟଙ୍କା ଦେଇ ନଥିଲା। ଟଙ୍କା ମାଗିବାରୁ ନିଜକୁ ବଡ଼ ଅଧିକାରୀ ବୋଲି ପରିଚୟ ଦେଇଥିଲା। ସନ୍ଦେହଜନକ କାର୍ଯ୍ୟକଳାପ ଓ ଲୋକଙ୍କୁ ଧମକ ଦେଉଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ସହିଦନଗର ପୋଲିସ। ଠକେଇର ପୂରା ନେଟୱର୍କ ନେଇ ଖୋଳତାଡ଼ ଜାରି ରହିଛି। ପୁର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା। ବେଲରେ ଆସି ପୁଣି ଥରେ ଲୋକଙ୍କୁ ଠକୁଥିଲା।
ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ନକଲି UPI ଏବଂ ଅନ୍ୟାନ୍ୟ ଠକେଇ ମାମଲାରେ ଜେଲ ଯାଇସାରିଛି। ଜାମିନରେ ଆସିବା ପରେ ପୁଣି ଥରେ ନୂଆ ପରିଚୟ ନେଇ ଠକେଇ ଜାଲ ବିଛାଇଥିଲା । ଏବେ ତାର ଠକେଇ ସାମ୍ରାଜ୍ୟର ଅଧିକ ଗୁମର ଖୋଲିବାକୁ ଖୋଳତାଡ଼ ଚଳାଇଛି ପୋଲିସ ।
