Latest Odisha News

BREAKING NEWS

Odia Cinema: “ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଅନ୍ୟ ସିନେମାର ପ୍ରଚାର କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”

ଭୁବନେଶ୍ବର: କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଯଦି ଆଉ କୌଣସି ସିନେମାକୁ ପ୍ରଚାର କରାଯାଏ ତେବେ ସରକାରୀ ସ୍ତରରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ।

ଓଡ଼ିଆ ସିନେମାର ସାମ୍ପ୍ରତିକ ସ୍ଥିତି ଓ ଏହାର ବିକାଶ ନେଇ ନିକଟରେ ଚଳଚ୍ଚିତ୍ର ଜଗତର ପ୍ରତିଭାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, କଳାକାରମାନଙ୍କ ସୁରକ୍ଷା ଓ ଉନ୍ନତମାନର ସିନେମା ନିର୍ମାଣ ପାଇଁ ବୈଷୟିକ ସହାୟତା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ ଏବଂ ଏହି ଦିଗରେ ଖୁବ୍‌ଶୀଘ୍ର ଏକ ଶୁଭ ଖବର ମିଳିବ ।

ଓଡ଼ିଆ ସିନେମାର ସମୃଦ୍ଧ ଇତିହାସ ଏବଂ ଏହାର ଆରମ୍ଭକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଆତ୍ମପ୍ରକାଶ କରିବା ସହ ସେହି ବର୍ଷ ହିଁ ମହାନ ରାସ-ସ୍ରଷ୍ଟା ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବା ଏକ ଅପୂର୍ବ ସଂଯୋଗ । ଅତୀତରେ ‘ମାୟା ମିରିଗ’, ‘ଭୁକା’, ‘ଶେଷ ଶ୍ରାବଣ’ ଏବଂ ‘ହାକିମ ବାବୁ’ ଭଳି କାଳଜୟୀ ସିନେମା ଓଡ଼ିଆ ମାଟିର ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲା । ସାମ୍ପ୍ରତିକ ସମୟରେ ‘ଦମନ’, ‘ପ୍ରତୀକ୍ଷା’, ‘ଶଲା ବୁଢ଼ା’, ‘ପୁଷ୍କରା’, ‘ବୋଉ ବୁଟୁ ଭୂତ’ ଏବଂ ‘ବର ବଧୂ’ ଭଳି ଚଳଚ୍ଚିତ୍ରଗୁଡ଼ିକ ଆମ ମାଟିର ମୌଳିକ କାହାଣୀକୁ ନେଇ ଜାତୀୟ ସ୍ତରରେ ଓଡ଼ିଆ ସିନେମାକୁ ପୁଣି ଏକ ନୂତନ ପରିଚୟ ଦେଇଛନ୍ତି, ଯାହା ଓଡ଼ିଆ ସିନେମାର ଏକ ନୂତନ ସୂର୍ଯ୍ୟୋଦୟ ।

ବର୍ତ୍ତମାନର ବୈଷୟିକ ଯୁଗ ଓ ଓଟିଟି (OTT) ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ନୂତନ ପିଢ଼ି ସିନେମାଟୋଗ୍ରାଫି, ସାଉଣ୍ଡ ଡିଜାଇନିଂ ଏବଂ VFX କ୍ଷେତ୍ରରେ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଆପଣେଇଛନ୍ତି । ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଯୋଗାଇଦେବା ସହ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍‌ରେ ପରିଣତ କରାଯାଉଛି, ଯେପରି ଆମ ପିଢ଼ିକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏଥିସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ସିନେମା ଟୁରିଜିମ୍ (Cinema Tourism) ର ବିକାଶ କରିବାକୁ ସେ ଦେଶ ଓ ରାଜ୍ୟର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଭୟ ପ୍ରଯୋଜକ ଓ ଦର୍ଶକମାନଙ୍କୁ ଓଡ଼ିଆ ସିନେମାର ପୃଷ୍ଠପୋଷକତା ସାଜିବାକୁ ଅନୁରୋଧ କରିଛନ୍ତି । ପ୍ରଯୋଜକମାନେ ଆଧୁନିକତା ସହ ଓଡ଼ିଆ ସମାଜ ଓ ସଂସ୍କୃତିର ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କଲେ ଦର୍ଶକ ନିଶ୍ଚିତ ଥିଏଟରକୁ ଫେରିବେ । ସେହିପରି ଦର୍ଶକମାନଙ୍କୁ ସିନେମା ହଲ୍‌କୁ ଯାଇ ଓଡ଼ିଆ ଫିଲ୍ମ ଦେଖିବାକୁ ଅନୁରୋଧ କରି ସେ କହିଛନ୍ତି ଯେ, ଗୋଟିଏ ଚଳଚ୍ଚିତ୍ର ପଛରେ ଶହ ଶହ ପରିଚୟହୀନ ଟେକନିସିଆନ, ଲେଖକ ଓ ଗରିବ ଶ୍ରମିକଙ୍କ ଜୀବିକା ଜଡ଼ିତ ଥାଏ ।

ସେ ଆହୁରି କହିଛନ୍ତି ଯେ ଓଡ଼ିଆ ସିନେମାରେ ଓଡ଼ିଆତ୍ୱ ଅଛି । ଆମେ ସମସ୍ତେ ଟିମ୍ ଓଡ଼ିଶା ହୋଇ କାମ କରିବା । ଆମ ପାଖରେ ଅର୍ଥର କୌଣସି ଅସୁବିଧା ନାହିଁ । ଆମ ସରକାର ଆପଣଙ୍କ ମତାମତକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂଚନାଯୋଗ୍ୟଯେ ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ, ୨୦୨୩ ବର୍ଷ ପାଇଁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ବରିଷ୍ଠ ଅଭିନେତା ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ଏବଂ ୨୦୨୪ ବର୍ଷ ପାଇଁ ଏହି ସମ୍ମାନ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ନମ୍ରତା ଦାସଙ୍କୁ ପ୍ରଦାନ କରାଯିବା ସହ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ ୨୦୨୩ ଓ ୨୦୨୪ ବର୍ଷ ପାଇଁ ମୋଟ୍ ୬୨ଟି ବିଭାଗରେ ବିଭିନ୍ନ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ଵ ହାସଲ କରିଥିବା କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.