Latest Odisha News

BREAKING NEWS

ସ୍ଥାପନ ହେଲା ସୌରଚାଳିତ ସାଇରନ ; ହାତୀ ଗ୍ରାମ ମୁହାଁ ହେଲେ ବାଜିବ, ଲୋକେ ହେବେ ସତର୍କ

କନ୍ଧମାଳ:ଜିଲ୍ଲାରେ ବଢ଼ୁଥିବା ହାତୀ ଉପଦ୍ରବ ଓ ମଣିଷ ହାତୀ ସଂଘର୍ଷକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳଗୁଡ଼ିକରେ ସୌରଚାଳିତ ସାଇରନ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଫଳରେ ହାତୀ ଗ୍ରାମ ମୁହାଁ ହେବାର ସୂଚନା ମିଳିବା ମାତ୍ରେ ସାଇରନ୍‌ ବାଜି ଲୋକଙ୍କୁ ସତର୍କ କରିବ।

ଏହି ସୌରଚାଳିତ ସାଇରନ୍‌ ଯନ୍ତ୍ରରେ ୫ଟି ମୋବାଇଲ ନମ୍ବର ଫିଡ୍ କରାଯାଇଛି। ଗ୍ରାମବାସୀ କିମ୍ବା ବନ କର୍ମଚାରୀମାନେ ହାତୀ ଆସୁଥିବା ସୂଚନା ପାଇଲେ, ସେହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରରୁ ସାଇରନ ଯନ୍ତ୍ରକୁ ଫୋନ୍ କରିବେ। ଫୋନ୍ କଲ୍ ପହଞ୍ଚିବା ମାତ୍ରେ ସାଇରନ ଉଚ୍ଚ ଶବ୍ଦରେ ବାଜିବ ଏବଂ ଆଖପାଖର ଲୋକମାନେ ହାତୀର ଉପସ୍ଥିତି ସମ୍ପର୍କରେ ସତର୍କ ହୋଇପାରିବେ।

ବନ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଅଞ୍ଚଳର ବିଭିନ୍ନ ହାତୀ ପ୍ରବଣ ଅଞ୍ଚଳରେ ପ୍ରାୟ ୬ଟି ସୌରଚାଳିତ ସାଇରନ ସ୍ଥାପନ କରାଯାଇଛି। ସୂଚନା ଅନୁସାରେ ଲିଙ୍ଗା, ମାଲାନସୁଗା, ପୁକୁଲିଙ୍ଗିଆ, ଗାମୁଲି, ରେଟୁଡି ଓ ପିଡ଼ିକାମାହା ଅଞ୍ଚଳରେ ଏହି ସାଇରନ୍‌ ବ୍ୟବସ୍ଥା କରାଯାଇଛି। ଏହି ସ୍ଥାନଗୁଡ଼ିକ ହାତୀଙ୍କ ନିୟମିତ ଚଲାପଥ ଓ ଉପଦ୍ରବ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାରୁ ସେଠାରେ ଏହି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି।

ଏହି ବ୍ୟବସ୍ଥା ଫଳରେ ଗ୍ରାମବାସୀମାନେ ପୂର୍ବରୁ ସଚେତନ ହୋଇ ସୁରକ୍ଷିତ ସ୍ଥାନକୁ ଯାଇପାରିବେ ଓ ହାତୀ ଆକ୍ରମଣ ଜନିତ ଅଘଟଣ, ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତିକୁ ଅନେକାଂଶରେ ରୋକାଯାଇପାରିବ ।

Leave A Reply

Your email address will not be published.