ଭୁବନେଶ୍ବର: ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା । ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା । କୋରାପୁଟର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ର ତେଲକୋଇର ଅଞ୍ଚଳର ରୀତା ଜୁଆଙ୍ଗଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁକୁ ନେଇ ଅଭିଯୋଗ କରିଛନ୍ତି ।
କମିଶନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି । ଅଭିଯୋଗରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟି ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦୁଝର ଜିଲ୍ଲାର କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ଥଇଥାନ ଓ ସୁବିଧା ଯୋଗାଇ ଦେବାକୁ କମିଶନ ନିକଟରେ ଅନୁରୋଧ କରିଛନ୍ତି ।
ଉକ୍ତ କାରଖାନାରେ ବିପଦପୂର୍ଣ୍ଣ କାମରେ ନାବାଳିକାକୁ ନିଯୁକ୍ତ କରାଯାଇଥିବାରୁ ମେସର୍ସ ସେଣ୍ଟ ପିଟର ଆଣ୍ଡ୍ ସି ଫୁଡ୍ ଏକ୍ସପୋର୍ଟ ପ୍ରାଇଭେଟ ଲିଃ ପରିଚାଳନା କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନ ଆଦେଶ କରିବାକୁ ଅନୁରୋଧ କରିଛନ୍ତି । ତାମିଲନାଡୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ କରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଆଦେଶ କରିବାକୁ ଆଇନଜୀବି ଅନୁପ କୁମାର ପାତ୍ର ନିବେଦନ କରିଛନ୍ତି ।
