ନୂଆଦିଲ୍ଲୀ: ଘନ ଘନ ବୋମା ବର୍ଷା
ହର୍ମୁଜ୍ ଛାତି ଚିରିକି ବାହାରିଲା ଭାରତୀୟ ଜାହାଜ
ଚାଷୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି!
ପଶ୍ଚିମ ଏସିଆରେ ଇରାନ-ଆମେରିକା ଉତ୍ତେଜନା ଓ ହର୍ମୁଜ୍ ଜଳସନ୍ଧିରେ ପୁଣି ଥରେ ସୁରକ୍ଷା ବିପଦ ବଢିଥିବା ବେଳେ ଭାରତ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଭାରତୀୟ ପତାକାବାହୀ ମାଲବାହୀ ଜାହାଜ ‘ଏପିଜେ ପ୍ରୀତି ୨(APJ Priti 2)’ ଇରାନ ପକ୍ଷରୁ ନିର୍ଦ୍ଧାରିତ ସମୁଦ୍ର ପଥ ଦେଇ ସୁରକ୍ଷିତ ଭାବେ ହର୍ମୁଜ୍ ଜଳସନ୍ଧି ପାର୍ କରିଛି। ଏହି ଜାହାଜରେ ପ୍ରାୟ ୬୫ ହଜାର ମେଟ୍ରିକ୍ ଟନ୍ ସାର ବା ମାଟି ଉର୍ବରକ ଲୋଡ୍ ହୋଇଛି। ଦେଶରେ ଖରିଫ ଋତୁର ଚାଷ ଆରମ୍ଭ ହେଉଥିବା ବେଳେ ଏହି ସାର ଭାରତରେ ପହଞ୍ଚିବା ଚାଷୀଙ୍କ ପାଇଁ ବଡ଼ ସହାୟକ ହେବ ବୋଲି କୁହାଯାଉଛି। ଯାହା ସାର ଯୋଗାଣରେ ବାଧା ସୃଷ୍ଟି ହେବାର ଆଶଙ୍କା କମାଇଛି ଏବଂ ଚାଷୀମାନେ ଠିକ୍ ସମୟରେ ଉର୍ବରକ ପାଇବାର ଆଶା ବଢ଼ିଛି।
ଏପିଜେ ପ୍ରୀତି ୨ ସେହି ଜାହାଜଗୁଡ଼ିକ ମଧ୍ୟରେ ଥିଲା, ଯାହାକୁ ପ୍ରାଥମିକତା ଭିତ୍ତିରେ ସୁରକ୍ଷିତ ଭାବେ ହର୍ମୁଜ୍ ଜଳସନ୍ଧିରୁ ବାହାର କରିବାକୁ ଯୋଜନା କରାଯାଇଥିଲା। ଜାହାଜଟି ଇରାନ ନିର୍ଦ୍ଧାରିତ ସମୁଦ୍ର ମାର୍ଗ ଅନୁସରଣ କରି ବିପଦପୂର୍ଣ୍ଣ ଅଞ୍ଚଳ ଅତିକ୍ରମ କରିଛି। ଜାହାଜଟି ଯେଉଁ ଅଞ୍ଚଳ ଦେଇ ଗତି କରିଛି, ତାହାର କିଛି ସମୟ ପୂର୍ବରୁ ସେଠାରେ ଏକ ତୈଳବାହୀ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ଯାହା ବିପଦ ଆଶଙ୍କା ସୃଷ୍ଟି କରିଥିବା ବେଳେ ଏବେ ସୁରକ୍ଷିତ ଭାବେ ଏହା ହରମୁଜ୍ ପାର୍ କରି ଭାରତ ମୁହାଁ ଆସୁଛି ।
ଶନିବାର ଦିନ ହର୍ମୁଜ୍ ପ୍ରଣାଳୀରେ କାତାର ତେଲ ବୋଝେଇ ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। ଏହା ଏକ ସପ୍ତାହ ମଧ୍ୟରେ ବାଣିଜ୍ୟ ଜାହାଜ ଉପରେ ଦ୍ୱିତୀୟ ଆକ୍ରମଣ ଥିଲା। ୟୁକେ ସାମୁଦ୍ରିକ ସୁରକ୍ଷା ଏଜେନ୍ସି, ୟୁକେଏମଟିଓ ଅନୁସାରେ, ଆକ୍ରମଣରେ ଜାହାଜର ସେତୁ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ କର୍ମଚାରୀମାନେ ସୁରକ୍ଷିତ ଥିଲେ ଏବଂ କୌଣସି ତେଲ ଛଡ଼ାଯାଇ ନଥିଲା। ଏହା ପରେ, ମିଳିତ ସାମୁଦ୍ରିକ ସୂଚନା କେନ୍ଦ୍ର (JMIC) ସମଗ୍ର ଅଞ୍ଚଳ ପାଇଁ ବିପଦ ସ୍ତରକୁ “ପର୍ଯ୍ୟାପ୍ତ”କୁ ବୃଦ୍ଧି କରିଛି।
ଭାରତର ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ଶିପିଂ (DGS) ଅନୁସାରେ, ହର୍ମୁଜ୍ ଜଳସନ୍ଧିର ପଶ୍ଚିମରେ ପାର୍ସିକ୍ ଉପସାଗରରେ ଏବେ ବି ୧୫ଟି ଭାରତ ସହ ସଂପୃକ୍ତ ଜାହାଜ ରହିଛି। ଯେଉଁଥିରେ ଗୋଟିଏ ଶକ୍ତି (Energy) କାର୍ଗୋ ଜାହାଜ, ୪ଟି ସାର ବୋଝେଇ ଜାହାଜ, ୧୦ଟି ଅନ୍ୟାନ୍ୟ ମାଲବାହୀ ଜାହାଜ ରହିଛି। ପରିସ୍ଥିତି ଖରାପ ହେଲେ ସେଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି ।
ସେପଟେ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ହେବା ପରଠାରୁ ଏପର୍ଯ୍ୟନ୍ତ ଭାରତ ଅଭିମୁଖେ ଆସୁଥିବା ୪୪ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳସନ୍ଧି ଅତିକ୍ରମ କରିଛି। ଯେଉଁଥିରେ ୧୭ଟି ଭାରତୀୟ ପତାକାବାହୀ ଜାହାଜ ଥିବା ବେଳେ ୨୭ଟି ବିଦେଶୀ ପତାକାବାହୀ ଜାହାଜ ରହିଛି । ଏହି ଜାହାଜଗୁଡ଼ିକରେ ଅଶୋଧିତ ତୈଳ, LPG, LNG, ବଲ୍କ କାର୍ଗୋ ଓ କଣ୍ଟେନର ସାମଗ୍ରୀ ପରିବହନ କରାଯାଇଛି।
ଅନ୍ୟପଟେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (IMO) ସତର୍କ କରିଛି ଯେ, ହର୍ମୁଜ୍ ଜଳସନ୍ଧିରେ ପ୍ରାୟ ୮୦ଟି ସମୁଦ୍ର ବାରୁଦି ସୁରଙ୍ଗ (Sea Mines) ଥାଇପାରେ। ଆମେରିକା-ଇରାନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ଏହି ମାଇନ୍ଗୁଡ଼ିକୁ ହଟାଇବାର ଦାୟିତ୍ୱ ଇରାନର। ତେବେ ବର୍ତ୍ତମାନ ସୁଦ୍ଧା କେତେ ମାଇନ୍ ହଟାଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହାରି ଭିତରେ ମଧ୍ୟପ୍ରାଚ୍ୟରେ ମାତ୍ର ଦୁଇ ସପ୍ତାହ ପୂର୍ବେ ହୋଇଥିବା ଶାନ୍ତି ଚୁକ୍ତିନାମା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ହରମୁଜ୍ ପ୍ରଣାଳୀ ନିକଟରେ ଏକ ତୈଳ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ଶନିବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାନ ଉପରେ ଏକ ବଡ଼ ସାମରିକ ଆକ୍ରମଣ ଆରମ୍ଭ କରିଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତୁରନ୍ତ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଶାନ୍ତି ଚୁକ୍ତି ଭଙ୍ଗ ହେଲେ ଇରାନ ମାଟିରେ ମିଶିବ ବୋଲି ସେ ଚେତାଇ ଦେଇଛନ୍ତି ।
