କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଛି । ମୃତ ଶ୍ରମିକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ । ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାରୀଙ୍କର ମୃତ୍ୟୁ ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ତାଙ୍କ ମରଶରୀର ଗାଁରେ ପହଁଚିଛି । ଏହି ଦୁର୍ଘଟଣା ପରେ ତାମିଲନାଡ଼ୁ ସ୍ଥିତ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିବା ଓଡ଼ିଶାର ୬୬ ଜଣଙ୍କୁ ରାଜ୍ୟ ସରକାର ଫେରାଇ ଆଣିଛନ୍ତି । ଏହି ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି । ଫେରି ଆସିଥିବା ଶ୍ରମିକ ଓ ତାଙ୍କ ଅଭିଭାବକମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିତ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଗତ ୬ ମାସ ପୂର୍ବେ ହରିଚନ୍ଦପୁର ଥାନା ଅଞ୍ଚଳର ଜଣେ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍କ ଆର୍ଥିକ ପ୍ରଲୋଭନ ଦେଖାଇ ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଓ ଘଟଗାଁ ବ୍ଲକ୍ରୁ ଜୁଆଙ୍କ ପୁଅ ଝିଅଙ୍କୁ ତାମିଲନାଡ଼ୁ ନେଇଥିଲେ ।
