ଢାକା/ନୂଆଦିଲ୍ଲୀ: ବ୍ୟାପକ ଜନଆନ୍ଦୋଳନ ଓ ହିଂସା ପରେ ବାଂଲାଦେଶର କ୍ଷମତା ଚ୍ୟୁତ ହୋଇ ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କେବେ ସ୍ୱଦେଶ ଫେରିବେ? ଏହି ଗୋଟିଏ ପ୍ରଶ୍ନ ଏବେ ସାରା ଦକ୍ଷିଣ ଏସିଆର ରାଜନୀତିକୁ ଆନ୍ଦୋଳିତ କରୁଛି। ଢାକାରୁ ପ୍ରାଣ ବିକଳରେ ବାୟୁସେନାର ବିମାନ ଯୋଗେ ଭାରତ ଆସିବା ପରଠାରୁ ସେ ଏକ ଅଜ୍ଞାତ ଓ ସୁରକ୍ଷିତ ସ୍ଥାନରେ ରହୁଛନ୍ତି। ତାଙ୍କ ଦଳ ‘ଆୱାମୀ ଲିଗ୍’ର କିଛି ନେତା ସେ ଖୁବଶୀଘ୍ର ଫେରିବେ ବୋଲି ଦାବି କରୁଥିବା ବେଳେ, ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦିଗକୁ ଇସାରା କରୁଛି। ସାମ୍ପ୍ରତିକ ପରିସ୍ଥିତି ଏଭଳି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ହସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କେବଳ ସନ୍ଦେହଘେରରେ ନାହିଁ, ବରଂ ଏହା ଏକ ପ୍ରକାର ଅସମ୍ଭବ ମନେହେଉଛି।
ହସିନାଙ୍କ ପରମ ଶତ୍ରୁ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିଖ୍ ରହମାନଙ୍କ ପ୍ରଭାବ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଯଦି ହସିନା ଢାକା ମାଟିରେ ପାଦ ଦିଅନ୍ତି, ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବା ସହ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡ ପାଇଁ କୋର୍ଟର କାଠଗଡ଼ାରେ ଠିଆ ହେବାକୁ ପଡ଼ିବ। ତେଣୁ ନିଜ ସୁରକ୍ଷା ଦୃଷ୍ଟିରୁ ହସିନା ଏବେ ବାଂଲାଦେଶ ଫେରିବା ସପକ୍ଷରେ ନାହାନ୍ତି।
ହସିନା ଦେଶ ଛାଡ଼ିବା ପରେ ବାଂଲାଦେଶରେ ହିନ୍ଦୁ ସମେତ ଅନ୍ୟାନ୍ୟ ଅଳ୍ପସଂଖ୍ୟକ ସମ୍ପ୍ରଦାୟଙ୍କ ଉପରେ ବ୍ୟାପକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଆୱାମୀ ଲିଗ୍ର ଶତାଧିକ ନେତା ଓ କର୍ମୀ ଏବେ ଜେଲ୍ରେ ଅଛନ୍ତି କିମ୍ବା ଆତ୍ମଗୋପନ କରିଛନ୍ତି। ନେତୃତ୍ୱହୀନ ହୋଇପଡ଼ିଥିବା ଦଳକୁ ପୁନର୍ଜୀବିତ କରିବା ପାଇଁ ହସିନାଙ୍କ ପରିବାରର କୌଣସି ସଦସ୍ୟ ମଧ୍ୟ ଏହି ମୁହୂର୍ତ୍ତରେ ବାଂଲାଦେଶ ଯିବାକୁ ପ୍ରସ୍ତୁତ ନାହାନ୍ତି। ତାଙ୍କ ପୁଅ ସଜୀବ ୱାଜେଦ ଜୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସୁରକ୍ଷିତ ସ୍ଥିତି ନଉପୁଜିବା ପର୍ଯ୍ୟନ୍ତ କେହି ଦେଶକୁ ଫେରିବେ ନାହିଁ।
ଭାରତ ପାଇଁ ମଧ୍ୟ ଏହି ସ୍ଥିତି ବେଶ୍ ସମ୍ବେଦନଶୀଳ। ଜଣେ ପୁରୁଣା ଓ ବିଶ୍ୱସ୍ତ ବନ୍ଧୁ ହିସାବରେ ନୂଆଦିଲ୍ଲୀ ହସିନାଙ୍କୁ ଆଶ୍ରୟ ତ ଦେଇଛି, କିନ୍ତୁ ବାଂଲାଦେଶର ନୂଆ ସରକାର ସହ କୂଟନୈତିକ ସମ୍ପର୍କ ବଜାୟ ରଖିବା ମଧ୍ୟ ଭାରତ ପାଇଁ ସେତିକି ଜରୁରୀ। କୁହାଯାଉଛି ଯେ, ବ୍ରିଟେନ କିମ୍ବା କୌଣସି ମଧ୍ୟପ୍ରାଚ୍ୟ ଦେଶରେ ସ୍ଥାୟୀ ଭାବେ ଶରଣ ନେବା ପାଇଁ ହସିନାଙ୍କ ପକ୍ଷରୁ ଚେଷ୍ଟା ଚାଲିଛି। ସେ ପର୍ଯ୍ୟନ୍ତ ଅତିଥି ଭାବେ ଭାରତ ହିଁ ତାଙ୍କର ଏକମାତ୍ର ଭରସା।
