ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଓ ଅଧିନାୟକ ବେନ ଷ୍ଟୋକ୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଟ୍ରେଂଟ ବ୍ରିଜରେ ଖେଳାଯାଉଛି । ଏହା ଷ୍ଟୋକ୍ସଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ହେବ । ୪ର୍ଥ ଦିବସ ଖେଳ ଆରମ୍ଭ ପୂର୍ବରୁ ଷ୍ଟୋକ୍ସ ସାଥୀ ଖେଳାଳିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ଇସିବିକୁ ମଧ୍ୟ ଏ ନେଇ ସୂଚନା ଦେଇଥିଲେ । ୨୦୧୧ରେ ଧଳାବଲ ଏବଂ ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଏପ୍ରିଲ ୨୦୨୨ ପରଠାରୁ ସେ ଇଂଲଣ୍ଡ ଦଳର ଅଧିନାୟକ ପଦ ତୁଲାଇ ଆସୁଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲରେ ସେ ୮୪ରନର ଅପରାଜିତ ଇନିଂସ ଖେଳିଥିଲେ ।
ସୁପର ଓଭରରେ ଇଂଲଣ୍ଡ ବାଜି ମାରି ଚାମ୍ପିୟନ ହୋଇଥିଲା । ଏହାର କିଛି ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ହେଡିଙ୍ଗଲେରେ ସେ ୧୩୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ତାଙ୍କ ଇନିଂସ ବଳରେ ଆଶେସର ଏହି ମୁକାବିଲାରେ ଇଂଲଣ୍ଡ ୧ ୱିକେଟରେ ଜିତିଥିଲା । ସେ ତାଙ୍କ କ୍ୟାରିୟରରେ ୧୨୧ ଟେଷ୍ଟ, ୧୧୪ ଦିନିକିଆ ଓ ୪୩ ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୩୫ ଆଭରେଜରେ ୭୨୨୮ ରନ କରିବା ସହ ୨୪୬ ୱିକେଟ ନେଇଛନ୍ତି । ଦିନିକିଆ କ୍ରିକେଟରେ ସେ ୯୯ ଇନିଂସରେ ୪୨ ଆଭରେଜରେ ୩୪୬୩ ରନ ଓ ୭୪ ୱିକେଟ ହାସଲ କରିଛନ୍ତି । ସେହିପରି ଆନ୍ତର୍ଜାତୀୟ ଟି୨୦ରେ ସେ ୫୮୫ ରନ ଓ ୨୬ ୱିକେଟ ନେଇଛନ୍ତି । ଷ୍ଟୋକ୍ସଙ୍କ ଅବସର ପରେ ଇଂଲଣ୍ଡ କ୍ରିକେଟର ଏକ ଆକ୍ରମଣାତ୍ମକ ଯୁଗର ଅନ୍ତ ଘଟିବ ।
