କଟକ: ମହାନଦୀରେ ଗାଧୋଉଥିବା ବେଳେ ଅଘଟଣ । ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ପାଇଁ ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ଭାସିଗଲେ ୩ଜଣ ଛାତ୍ର । ଏହି ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ନିଖୋଜ ଅଛନ୍ତି। ମୃତ ଛାତ୍ର ହେଲେ ମୁକ୍ତି ପ୍ରସାଦ ଦାସ (୨୦)। ପ୍ରତ୍ୟୁଷ ସ୍ବାଇଁ (୨୦), ଅଜିତ ସାହୁ (୨୧) ନିଖୋଜ ଅଛନ୍ତି।
ଆଜି ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀକୁ ପ୍ରତ୍ୟୁଷ,ଅଜିତ, ମୁକ୍ତି ପ୍ରସାଦ,ଅମ୍ଲାନ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ବେଳେ ଅମ୍ଲାନ ଜଳର ଗଭୀରତା ଜାଣିପାରି ନିୟନ୍ତ୍ରଣ ହରାଇଥିଲେ। ତେଣୁ ଅମ୍ଲାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ତିନି ଜଣ ସାଙ୍ଗ ଉଦ୍ୟମ କରିଥିଲେ। ଅମ୍ଲାନ କିନ୍ତୁ କୌଣସି ପ୍ରକାରରେ ସୁରକ୍ଷିତ ଭାବେ ସ୍ଥଳଭାଗକୁ ଫେରି ଆସିଥିଲେ। କିନ୍ତୁ ପ୍ରତ୍ୟୁଷ, ଅଜିତ ଏବଂ ମୁକ୍ତି ପ୍ରସାଦ ପାଣିରେ ଭାସି ଯାଇଥିଲେ। ତିନି ଜଣ ସାଙ୍ଗ ହଠାତ ନିଖୋଜ ହୋଇଯିବା ନେଇ ଅନ୍ୟମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ଜଗତପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ମୁକ୍ତି ପ୍ରସାଦ ଦାସଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏପଟେ ଅନ୍ୟ ୨ଜଣ ନିଖୋଜ ରହିଛନ୍ତି ।
Comments are closed.