ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟା କାଣ୍ଡ । ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦) । କୃଷ୍ଣଚନ୍ଦ୍ରଙ୍କ ସମେତ ତାଙ୍କ ବାପା ଓ ଭଉଣୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଅପରାଧୀମାନେ । ଯେଉଁଥିରେ ସେମାନେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ମୃତ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଆକ୍ରମଣରେ ଶିକାର ହୋଇ କୋମାକୁ ଚାଲିଯାଇଛନ୍ତି । ଭଉଣୀ ତାପସୀ ପାଢ଼ୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ହିମାଂଶୁଙ୍କୁ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି । ତାପସୀଙ୍କୁ ମଧ୍ୟ ଏମ୍ସରେ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ମୃତଦେହକୁ ପୋଲିସ ଜବତ କରିଥିବା ବେଳେ ଏମ୍ସରେ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ । ଅଭିଯୁକ୍ତମାନେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।
