ଯାଜପୁର: ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଆସିଲା ରାୟ । ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ ।
ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) ଏହି ବଡ଼ ରାୟ ଶୁଣାଇବା ସହ ରାକେଶ ଉପରେ ୧ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ସଜା କାଟିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଜଘନ୍ୟ ହତ୍ୟାକାଣ୍ଡରେ ରାକେଶକୁ ସହଯୋଗ କରିଥିବା ତାର ସହଯୋଗୀ ଅମରେଶ ରାଉତକୁ ମଧ୍ୟ କୋର୍ଟ ସଜା ଶୁଣାଇଛନ୍ତି । ପ୍ରମାଣ ନଷ୍ଟ ଏବଂ ଅପରାଧରେ ସହଯୋଗ କରିବା ଅଭିଯୋଗରେ ଅମରେଶକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ଝରାଫୁଲ ନାୟକ । ସେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷର ପଢୁଥିଲେ । ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିବା ପରେ ତାର ସହଯୋଗୀ ସହ ମିଶି ଯାଜପୁରରେ ଫିଙ୍ଗି ଦେଇଥିଲା । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର ।
ସିସିଟିଭି ଫୁଟେଜ ଆଧାରରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟିଥିଲା ।
