Latest Odisha News

BREAKING NEWS

ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ, ୪ ଜୁଲାଇ ସୁଦ୍ଧା ରିପୋର୍ଟ ତଲବ

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଜୁଲାଇ ୩ ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ବଡ଼ ବର୍ଷା ପୂର୍ବରୁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ। ୪ ଜୁଲାଇ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ। ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଗୁଡ଼ିକ ଭୁଶୁଡିବା ଘଟଣାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ରିଜର ଢାଞ୍ଚାଗତ ସୁରକ୍ଷା ଆକଳନକୁ ଗୁରୁତ୍ୱ ଦେଇଛନ୍ତି।

ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଜାତୀୟ ରାଜପଥରେ ଥିବା ସମସ୍ତ କ୍ଷୁଦ୍ର, ମଧ୍ୟମ ଓ ବଡ଼ ବ୍ରିଜ୍ ର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ସମନ୍ୱିତ ରିପୋର୍ଟ ସହ ମରାମତି ଏବଂ ପୁନର୍ନିର୍ମାଣ ଆବଶ୍ୟକ ଥିବା ବ୍ରିଜ୍ ଗୁଡ଼ିକର ବିବରଣୀ ୪ ଜୁଲାଇ ସୁଦ୍ଧା ଦାଖଲ କରିବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଛି। ପୂର୍ତ୍ତ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍-ତଥା-ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ମୁଖ୍ୟ ଯନ୍ତ୍ରୀ (ପୋଲ-୧ ଓ ୨) ଏବଂ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ-୧ ଓ ୨)ଙ୍କୁ ଏନେଇ ପତ୍ର ଲେଖିଛନ୍ତି। ଏଥି ସହିତ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ), ସମସ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବ୍ରିଜ୍ ପରିଦର୍ଶନ କରି ରିପୋର୍ଟ ମୁଖ୍ୟ ଯନ୍ତ୍ରୀ (ବ୍ରିଜ୍)ଙ୍କ ନିକଟକୁ ପଠାଇବେ। ପରିଦର୍ଶନ ସମୟରେ ସାମାନ୍ୟ ତ୍ରୁଟି ଚିହ୍ନଟ ହେଲେ ବିଭାଗୀୟ ଅଧିକାରୀ ତୁରନ୍ତ ତାହାର ପ୍ରତିକାର କରିବେ। କିନ୍ତୁ କୌଣସି ବ୍ରିଜରେ ଗୁରୁତର ତ୍ରୁଟି କିମ୍ବା ଢାଞ୍ଚାଗତ ଦୁର୍ବଳତା ଦେଖାଦେଲେ ତୁରନ୍ତ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଯିବ। ଆବଶ୍ୟକ ପଡ଼ିଲେ ଡିଜାଇନ୍ ନିର୍ଦ୍ଦେଶାଳୟ କିମ୍ବା ଡିଜାଇନ୍ ପରାମର୍ଶଦାତାଙ୍କ ସହ ପରାମର୍ଶ କରି ସ୍ୱତନ୍ତ୍ର ବୈଷୟିକ ପରୀକ୍ଷା କରାଯିବ। ପୋଲର ସଂରଚନାଗତ କ୍ଷମତା ଉପରେ ସନ୍ଦେହ ସୃଷ୍ଟି ହେଲେ ଏହାର ଭାର ବହନ କ୍ଷମତା (ଲୋଡ୍ କ୍ୟାରିଂ କ୍ୟାପାସିଟି) ମଧ୍ୟ ମୂଲ୍ୟାଙ୍କନ କରାଯିବ। ବର୍ଷା ଋତୁରେ ବ୍ରିଜ ଗୁଡ଼ିକର ସୁରକ୍ଷା ଓ ଯାତାୟାତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ସମଗ୍ର ରାଜ୍ୟର ବ୍ରିଜ ଗୁଡ଼ିକର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.