Latest Odisha News

BREAKING NEWS

ତେଜିଲା ଡାକ୍ତର ଅସନ୍ତୋଷ, ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ

ଭୁବନେଶ୍ୱର: କଳା ବ୍ୟାଚ ପିନ୍ଧି ଡ୍ୟୁଟି କରୁଛନ୍ତି ଜୁନିଅର ଡାକ୍ତର। ଓମସାର ୧୦ ଦଫା ଦାବି ନେଇ ପ୍ରତିବାଦ ଜାରି ରହିଛି। ଜୁନିଅର ଡାକ୍ତର ସଂଘ ସଭାପତିଙ୍କ ଚେତାବନୀ, ଦାବି ପୂରଣ ନହେଲେ ଆଗକୁ ଜୋରଦାର ହେବ ଆନ୍ଦୋଳନ। ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ। ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମସା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟାଘାତ ହେବାର ଆଶଙ୍କା ପ୍ରକାଶ ପାଇଛି ।

ଜୁଲାଇ ପହିଲା ବା ଡାକ୍ତର ଦିବସରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା । ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓମସା ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କ କଥାରେ ଭରସା ନଥିବାରୁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ବିଳମ୍ବିତ ରାତିରେ ଓମସାର ଆକ୍ସନ କମିଟିର ଏକ ଜରୁରୀ ବୈଠକ ବସିଥିଲା । ବୈଠକ ପରେ ଓମସା ସଭାପତି ଡାକ୍ତର କିଶୋର ମିଶ୍ର ଓ ସାଧାରଣ ସଂପାଦକ ଡାକ୍ତର ସଞ୍ଜୀବ ପ୍ରଧାନ କହିଛନ୍ତି, ପୂର୍ବରୁ ଆନ୍ଦୋଳନ ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ବୈଠକରେ ତାହା କାଏମ ରହିଛି ।

ଡାକ୍ତରଙ୍କ ଦାବିର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ସେ ବୈଠକ ବସିପାରିଲା ନାହିଁ । ପ୍ରତିବାଦ କରୁଥିବା ଡାକ୍ତରଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତା’ ହେଲେ ପ୍ରଥମେ ଜିଲ୍ଲାସ୍ତରରେ ଏସପି କିମ୍ବା ସ୍ଥାନୀୟ ପୋଲିସ ଥାନା କାର୍ଯ୍ୟାଳୟ ଘେରାଉ କରାଯିବ । ପରେ ଜେଲ୍ ଭରୋ ଆନ୍ଦୋଳନ ଲାଗି ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି । ଅପରପକ୍ଷରେ ଓମସା ପକ୍ଷରୁ ଘୋଷଣା ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛି କଟକ ଏସ୍ ସିବି ମେଡିକାଲ ଜୁନିୟର ଡାକ୍ତର ସଂଘ । ଜେଡିଏର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ଦାବିକୁ ସରକାର ତୁରନ୍ତ ବିଚାର କରି ସମାଧାନ କରନ୍ତୁ । ନଚେତ୍ ଜେଡିଏ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.