Latest Odisha News

BREAKING NEWS

ସରକାରୀ ଡାକ୍ତରଖାନା ପାଲଟିଲା ଫିଲ୍ମ ସେଟ୍: ୪ ଘଣ୍ଟା ଧରି ଚାଲିଲା ସୁଟିଂ, ବାହାରେ ଛଟପଟ ହେଲେ ରୋଗୀ

ଭଦ୍ରକ: ରୋଗୀଙ୍କ ସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାରେ ଚିକିତ୍ସା ବଦଳରେ ଚାଲିଲା ଚଳଚ୍ଚିତ୍ର ସୁଟିଂ। ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଡାକ୍ତରଙ୍କ ଦେଖା ନପାଇ ନିରାଶରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଦିନ ଏଭଳି ଏକ ଅଭାବନୀୟ ତଥା ବିବାଦୀୟ ଘଟଣା ଦେଖିବାକୁ ମିଳିଛି।

 

ସୂଚନା ଅନୁଯାୟୀ, ବିନା କୌଣସି ପ୍ରଶାସନିକ ଅନୁମତିରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ବଡ଼ ବଡ଼ ପରଦା ପକାଇ ଦୀର୍ଘ ୪ ଘଣ୍ଟା ଧରି ଫିଲ୍ମ ସୁଟିଂ କରାଯାଇଥିଲା। ଏହି ସମୟରେ ଡାକ୍ତରଖାନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଭିତରକୁ ଯାଇନପାରି ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଏକ ବ୍ୟବସାୟିକ କାର୍ଯ୍ୟ ପାଇଁ ସାଧାରଣ ଜନତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ କିପରି ବନ୍ଦ କରାଗଲା, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଡାକ୍ତରଖାନା ପରିସରକୁ ପଶିବାକୁ ବାରଣ କରାଯାଇଥିଲା।

 

ରଶ୍ମିପ୍ରଭା ମହାନ୍ତି ନାମକ ଜଣେ ମହିଳା ରୋଗୀ ନିଜ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, “ଡାକ୍ତରଖାନା କର୍ମଚାରୀ ଆମକୁ ବାହାରକୁ ଆସିବାକୁ କହିଥିଲେ। ଦୀର୍ଘ ସମୟ ଧରି ଆମେ ବାହାରେ ଛିଡ଼ା ହୋଇଥିଲୁ। ସେମାନେ ଚାରିଆଡ଼େ ପରଦା ଘୋଡ଼ାଇ କଣ ସବୁ ସୁଟିଂ କରୁଥିଲେ ଓ ଆମକୁ ଭିତରକୁ ଛାଡି ନଥିଲେ।”

 

ମିଳିଥିବା ସୂଚନା ମୁତାବକ, ଡାକ୍ତରଖାନାରେ ‘ବାସୁଦେବପୁରିଆ’ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ଏଥିରେ ଓଲିଉଡର କିଛି ନାମୀଦାମୀ କଳାକାର ମଧ୍ୟ ସାମିଲ ଥିଲେ। ଏ ନେଇ ଫିଲ୍ମର ପ୍ରଯୋଜକ ଅମର ମହାପାତ୍ର ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ପାଖରେ କୌଣସି ସରକାରୀ ଅନୁମତି ନଥିଲା। “ଆମେ ଆପୋଷ ବୁଝାମଣା (ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ) ଭିତ୍ତିରେ ଏହି ସୁଟିଂ କରୁଥିଲୁ। ଡାକ୍ତରଖାନା ବନ୍ଦ ରହିବା ସମୟରେ ହିଁ ସୁଟିଂ କରିବାକୁ କଥାବାର୍ତ୍ତା ହୋଇଥିଲା,” ବୋଲି ଶ୍ରୀ ମହାପାତ୍ର ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ, ଉପରିସ୍ଥ ଅଧିକାରୀଙ୍କ ଏକ ‘ଅଣଆନୁଷ୍ଠାନିକ’ ନିର୍ଦ୍ଦେଶକ୍ରମେ ସୁଟିଂ ପାଇଁ ଡାକ୍ତରଖାନା ଛଡ଼ାଯାଇଥିଲା ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ନିଜର ସଫେଇ ଦେଇଛନ୍ତି।

 

ତେବେ ସରକାରୀ ଡାକ୍ତରଖାନାରେ ଏଭଳି ବେଆଇନ କାରବାର ସାମ୍ନାକୁ ଆସିବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ପ୍ରମୋଦ ପ୍ରହରାଜ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଡାକ୍ତରଖାନା ପରିସରରେ ସୁଟିଂ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ବିଧିବଦ୍ଧ ଅନୁମତି ପ୍ରଦାନ କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯିବ ଏବଂ ଯଦି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ବେଆଇନ ସୁଟିଂ କଥା ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ପ୍ରମୋଦ ପ୍ରହରାଜ ସୂଚନା ଦେଇଛନ୍ତି।

Leave A Reply

Your email address will not be published.