ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହୋଇପାରେ । ତେବେ ସମୟର ଚଲାପଥରେ ଏହି ପୁସ୍ତକଟି ସମୟର ସାକ୍ଷୀ ଭାବେ ସବୁଦିନ ପାଇଁ ରହିଥିବ।
ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି। ଆତ୍ମଜୀବନଟି ଓଡିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଗୁମର କଥାକୁ ଉନ୍ମୋଚିତ କରିବ।
ସଭାରେ ନିରଞ୍ଜନ ପଟ୍ଟନାୟକ ନିଜର ଲେଖନୀୟ ଅଭିବ୍ୟକ୍ତିରେ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଏହି ସାଧାରଣ ଜୀବନ କଥାରୁ ଯଦି ଜଣେ ବି ଯୁବକ ପ୍ରେରଣା ପାଇବ ତାଙ୍କ ରଚନା ସାର୍ଥକ ହେବ । ଆମ ଓଡିଶା ଦ୍ଵାରା ପ୍ରକାଶିତ ଏହି ପୁସ୍ତକ ଲୋକାର୍ପଣ ସଭାରେ ସଭାପତିତ୍ଵ କରିଥିଲେ ଆମ ଓଡିଶାର ଅଧ୍ଯକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଏହି ପୁସ୍ତକକୁ ଜଣେ ସାଧାରଣ ଓଡିଆର କଥା ଭାବେ ନିରଞ୍ଜନ ପଟ୍ଟନାୟକ ଉଲ୍ଲେଖ କରିବା ସହ ଓଡିଶାର ବିଭିନ୍ନ କ୍ଷେତ୍ରରୁ ୯ ଜଣ ସାଧାରଣ ଓଡିଆ ଏହାକୁ ଲୋକାର୍ପିତ କରିଥିଲେ । ସେହି ଅତିଥିମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି, କେନାଲ ମଣିଷ ରୂପେ ପରିଚିତ କେନ୍ଦୁଝରର ଦୈତାରୀ ନାୟକ, ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଡାକ୍ତରଖାନାରୁ ଫେରିଥିବା କଳାହାଣ୍ଡିର ଦାନ ମାଝୀ, ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ଗଳ୍ପ କବିତା ରଚନା କରିଥିବା ତଥା ତୁମୁଡିବନ୍ଧର ବ୍ଲକ ଚେୟାରମ୍ୟାନ ବାସନ୍ତୀ ମାଝୀ, ନିଜର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧିନରେ ଶିକ୍ଷାଦାନ କରୁଥିବା ଘସିପୁରାର ପ୍ରଫେସର ଦୁର୍ଯ୍ୟୋଧନ ନାହାକ, ନିଜର ବାଲ୍ୟକାଳରେ ଆର୍ଥିକ ଅସ୍ବଚ୍ଛଳତାରେ ହାରି ନ ଯାଇ ଭାରତର ପ୍ରସିଦ୍ଧ କେଶ ପ୍ରତିରୋପଣକାରୀ ଡାକ୍ତର ଭାବେ ପରିଚିତ କେନ୍ଦୁଝରର ଡା. ପ୍ରଦୀପ ସେଠୀ, କରୋନା ସମୟରେ ପୁରୀରେ ରଥଯାତ୍ରା କରାଇବାକୁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିବା ନୟାଗଡର ମୁସଲମାନ ତରୁଣ ଅଫତାବ୍ ହୋସେନ୍, ନିଜର ସ୍ଵଳ୍ପ ଆୟରୁ ସଞ୍ଚୟ କରି ଗ୍ରାମବାସୀଙ୍କ ପାଇଁ ସାତଟି ପାଣି ଟାଙ୍କି ବସାଇଥିବା ମନ୍ମଥ ମହାରଣା ପ୍ରମୁଖ।
ସୂଚନାଥାଉକି, ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ, ରାଜନେତା ଏହି ସଭାରେ ଉପସ୍ଥିତ ଥିଲେ।
