Latest Odisha News

BREAKING NEWS

‘ଆମେ ପାକିସ୍ତାନର ଅଂଶ ନୁହେଁ, ଦରକାର ପଡ଼ିଲେ ଭାରତ ସହ ମିଶିବୁ’

ରାୱଲକୋଟ୍: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ପାକିସ୍ତାନ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ତୀବ୍ର ରୂପ ନେଇଛି। ଇସଲାମାବାଦର ଅବହେଳା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କଟକଣା ଯୋଗୁଁ ଅତିଷ୍ଠ ହୋଇପଡ଼ିଥିବା ସ୍ଥାନୀୟ ବାସିନ୍ଦା ଏବେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।

 

ରାୱଲକୋଟ୍ ଠାରେ ଏକାଠି ହୋଇଥିବା ହଜାର ହଜାର ପ୍ରଦର୍ଶନକାରୀ ‘ପିଓକେ ପାକିସ୍ତାନର ଅଂଶ ନୁହେଁ’ ବୋଲି ନାରା ଦେବା ସହ, ଯଦି ଖାଦ୍ୟ ଯୋଗାଣ ବନ୍ଦ କରାଯାଏ ତେବେ ସେମାନେ ଭାରତ ସହ ମିଶିବେ ବୋଲି ପାକିସ୍ତାନ ପ୍ରଶାସନକୁ ସିଧାସଳଖ ଚେତାବନୀ ଦେଇଛନ୍ତି।

 

ପ୍ରଶାସନର ଦମନମୂଳକ ନୀତି ଓ ଖାଦ୍ୟ ସଙ୍କଟ

ଦୀର୍ଘ ଦିନ ଧରି ଚାଲିଆସୁଥିବା ଆର୍ଥିକ ଶୋଷଣ, ମୁଦ୍ରାସ୍ଫୀତି ଏବଂ ନିରନ୍ତର ରାଜନୈତିକ ଅବହେଳା ବିରୋଧରେ ଜଏଣ୍ଟ ଆୱାମୀ ଆକ୍ସନ କମିଟି ନେତୃତ୍ୱରେ ପିଓକେରେ ବିକ୍ଷୋଭ ଜାରି ରହିଛି। ଗତ ଜୁନ୍ ୯ ତାରିଖରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ରାୱଲକୋଟରେ ଲୋକମାନେ ଧାରଣାରେ ବସିଛନ୍ତି।

 

ଏହି ଆନ୍ଦୋଳନକୁ ଦବାଇବା ପାଇଁ ପାକିସ୍ତାନ ସରକାର ଏବଂ ସୁରକ୍ଷା ବାହିନୀ ସେଠାକୁ ଖାଦ୍ୟ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏଭଳି କଠୋର ତଥା ଅମାନବୀୟ ନୀତି ଲୋକଙ୍କ କ୍ରୋଧକୁ ନିଆଁରେ ଘିଅ ଢାଳିବା ପରି ଆହୁରି ବଢ଼ାଇ ଦେଇଛି।

 

ବିକ୍ଷୋଭକାରୀଙ୍କୁ ଉଦବୋଧନ ଦେଇ ସ୍ଥାନୀୟ ନେତା ତଥା ମାନବବାଦୀ କର୍ମୀ ସର୍ଦ୍ଦାର ଅମନ ଖାନ୍ ପାକିସ୍ତାନ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, “ପିଓକେ ପାକିସ୍ତାନର ଅଂଶ ନୁହେଁ। ଆମର ପାକିସ୍ତାନ ଦରକାର ନାହିଁ, ବରଂ ପାକିସ୍ତାନ ହିଁ ଆମ ଉପରେ ନିର୍ଭରଶୀଳ। ଯଦି ଆମର ମହିଳା ଓ ପିଲାମାନଙ୍କୁ ଖାଇବାକୁ ନଦିଆଯାଏ, ତେବେ ପରିସ୍ଥିତି ଏପରି ହେବ ଯେ ଆମେ ଅନ୍ୟ ସୀମା ବା ବାଣିଜ୍ୟ ପଥ ଖୋଲି ଭାରତର ସହାୟତା ଲୋଡ଼ିବୁ।”

 

ଅମନ ଖାନ୍ ଆହୁରି ଚେତାବନୀ ଦେଇଛନ୍ତି ଯେ, ଯଦି ଇସଲାମାବାଦ ଏଭଳି ନୀତିରୁ ନ ଓହରେ, ତେବେ ପାକିସ୍ତାନକୁ ପିଓକେରେ ରହିବା ପାଇଁ ଲୋକଙ୍କୁ ଭିକ ମାଗିବାକୁ ପଡ଼ିବ। ଏହି ବିଶାଳ ଜନସଭାରେ ପାକିସ୍ତାନର ସାମରିକ ନେତୃତ୍ୱ ବିଶେଷକରି ସେନା ମୁଖ୍ୟଙ୍କୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି।

 

ସାଧାରଣ ଲୋକଙ୍କ ୩୮-ଦଫା ସମ୍ବଳିତ ନ୍ୟାଯ୍ୟ ଦାବିକୁ ପୂରଣ କରିବା ପରିବର୍ତ୍ତେ ପାକିସ୍ତାନ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିବା, ବ୍ୟାପକ ଗିରଫଦାରୀ ଏବଂ ବଳପ୍ରୟୋଗ କରିବା ଭଳି ପଦକ୍ଷେପ ନେଉଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଥମିବାର ନାମ ନେଉନାହିଁ।

 

ମୁଜାଫରାବାଦ ସମେତ ପିଓକେର ବିଭିନ୍ନ ଅଞ୍ଚଳକୁ ଏହି ବିଦ୍ରୋହ ବ୍ୟାପିବାରେ ଲାଗିଛି। ରାୱଲକୋଟରେ ଦେଖାଦେଇଥିବା ଏହି ବ୍ୟାପକ ଜନବିଦ୍ରୋହ ଶେହବାଜ ସରିଫ୍ ସରକାର ତଥା ପାକିସ୍ତାନର ସାମରିକ ଶାସକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏବଂ ସମଗ୍ର ଅନ୍ତର୍ଜାତୀୟ ମହଲରେ ପାକିସ୍ତାନର ଅସଲ ମୁଖା ଖୋଲିଦେଇଛି।

Leave A Reply

Your email address will not be published.