Latest Odisha News

BREAKING NEWS

ରାଜ୍ୟରେ ପୁଣି ଲଘୁଚାପର ବର୍ଷା: ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଇଏମ୍‌ଡିର ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଅଧିକ ସକ୍ରିୟ ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ସମୁଦ୍ର ପତନଠାରୁ ୫.୮ ରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ଜୁଲାଇ ୩ ତାରିଖ ଆଡ଼କୁ ଏହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଛି। ଏହି ପାଣିପାଗ ସିଷ୍ଟମ୍ କାରଣରୁ ରାଜ୍ୟରେ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ଲାଗି ରହିବ।

 

ପ୍ରବଳ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ ନୂଆପଡ଼ା ଆଦି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼ ଏବଂ କଳାହାଣ୍ଡି ଭଳି ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରିବାର ମଧ୍ୟ ସମ୍ଭାବନା ରହିଛି।

 

ଲଗାଣ ବର୍ଷା ଫଳରେ ସହରାଞ୍ଚଳର ତଳିଆ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏଥିସହ କଚ୍ଚା ରାସ୍ତା ଧୋଇଯିବା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସେପଟେ ସମୁଦ୍ର ଅଶାନ୍ତ ରହିବ। ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ ବେଳେବେଳେ ୬୦ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.