ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଜନିତ ଲଗାଣ ବର୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ସିଷ୍ଟମ୍ର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟାୟକ୍ରମେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆଗାମୀ ୪୮ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲ୍ଲା କୋରାପୁଟ ଓ ମାଲକାନଗିରି ପାଇଁ ପାଣିପାଗ ବିଭାଗ ‘ରେଡ୍ ଆଲର୍ଟ’ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶୁକ୍ରବାର ଦିନ ମଧ୍ୟ ଏହି ଦୁଇ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ରହିବ।
ରାଜ୍ୟର ୯ଟି ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଏବଂ ୧୭ଟି ଜିଲ୍ଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି।
ରେଡ୍ ଆଲର୍ଟ ଥିବା ୨ ଜିଲ୍ଲା ବ୍ୟତୀତ, ୪ଟି ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଏବଂ ୧୨ଟି ଜିଲ୍ଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟ ନଷ୍ଟ ହେବା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଭୟ ରହିଛି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ଏବଂ ବିନା କାରଣରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଏହି ପାଣିପାଗ ପରିସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି ।