ପୁରୀ: ସମୁଦ୍ରକୂଳ ଥାନା ଅଧୀନ ହୋଟେଲ ନରେନ ପ୍ୟାଲେସର ସୁଇମିଂ ପୁଲ୍ରେ ବୁଡି ସୁମିତ୍ରା ମହାପାତ୍ର ଓରଫ ମାମା(୩୦)ଙ୍କ ମୃତ୍ୟୁ ହୋଇଥିଲା। ମାମାଙ୍କ ସହିତ ଥିବା ପୁରୁଷ ଓ ମହିଳା ବନ୍ଧୁ ନିଶା ଦେଇ ହତ୍ୟା କରିଥିବା ନେଇ ସମୁଦ୍ରକୂଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ବୁଧବାର ମୃତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଆଇସି ମାନସରଞ୍ଜନ ଚକ୍ର।
ଚକ୍ରଙ୍କ କହିବାନୁଯାୟୀ, ପାଣିରେ ବଡ଼ି ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟ ଦେଇଛନ୍ତି। ସେହିଭଳି ସୁଇମିଂ ପୁଲ୍ଠାରେ ଲାଗିଥିବା ସିସିଟିଭିରେ ମଧ୍ୟ ପାଣିରେ ବୁଡ଼ି ଯାଉଥିବାର ଚିତ୍ର ରହିଛି। ସୂଚନାଯୋଗ୍ୟ, ଗତ ୨୯ ତାରିଖ ଦେବସ୍ନାନପୂର୍ଣ୍ଣିମା ଦିନ ମାମା, ତାଙ୍କର ପୁରୁଷ ବନ୍ଧୁ ତଥା ଅନ୍ୟ ଜଣେ ମହିଳା ବନ୍ଧୁଙ୍କ ସହ ହୋଟେଲ ନରେନ ପ୍ୟାଲେସକୁ ଯାଇଥିଲେ। ସେମାନେ ସେଠାରେ ଏକ ରୁମ୍ ନେଇଥିଲେ। ଅପରାହ୍ଣରେ ହୋଟେଲ ସୁଇମିଂ ପୁଲ୍ରେ ସମସ୍ତେ ଗାଧୋଉଥିଲେ। ଏହି ସମୟରେ ମାମା ପାଣିରେ ବୁଡ଼ି ପ୍ରାଣ ହରାଇଇଥିଲେ।