ଭୁବନେଶ୍ୱର:ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସହ ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଛନ୍ତି ।
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ OMSA ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା। ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର କ୍ଯାଡର ରି-ଷ୍ଟ୍ରକଚରିଂ , Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତର ମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି ।
ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି |
“ସେବା ହିଁ ପରମ ଧର୍ମ” ଏହାକୁ ପାଥେୟ କରି ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପୂର୍ବଭଳି ରୋଗୀସେବା ଜାରି ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ହୁଏ ତା ହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ସରକାର କହିଛନ୍ତି।
ସୂଚନାଥାଉକି, ସାରା ରାଜ୍ୟରେ ଓମସା ଡାକ୍ତରଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ବାରିପଦା ସବୁଠି ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । କେଉଁଠି ବ୍ୟବଚ୍ଛେଦ ହୋଇନପାରି ପଡ଼ି ରହିଛି ମୃତଦେହ ଆଉ କେଉଁଠି ନିରାଶାରେ ଡାକ୍ତରଖାନାରୁ ଫେରୁଛନ୍ତି ରୋଗୀ । ଆଉ କେଉଁଠି ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ ସେବାକୁ କୌଣସିମତେ ଚଳାଇ ନେବାକୁ ଉଦ୍ୟମ ହେଉଛି ।