Latest Odisha News

BREAKING NEWS

ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର;୫ ଅଟକ

କେନ୍ଦୁଝର: ଦୈତାରୀ ଥାନା ଅଧୀନ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ନିଖୋଜ ଥିବା ଏକ ଦମ୍ପତିଙ୍କ ଗଳିତ ମୃତଦେହ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଉଦ୍ଧାର ହୋଇଛି । ବଳିପର୍ବତ ଗାଁ ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଖଗେଶ୍ବର ସୋରେନ୍‌ (୪୭) ଓ ପତ୍ନୀ ଟୁନି (୪୨)ଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଦମ୍ପତି ୨୭ ତାରିଖରୁ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନାଥାଉକି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଉଭୟଙ୍କ ଶରୀରରୁ ପିନ୍ଧା ପୋଷାକ ବାହାର କରାଯାଇ ଜିଆଇ ତାରରେ ବାନ୍ଧି କୂଅରେ ପକାଯାଇଛି। ଗୋଡ଼ରେ ପଥର ମଧ୍ୟ ବନ୍ଧାଯାଇଛି। ପ୍ରଥାମିକ ତଦନ୍ତରେ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ଥିବା ସନ୍ଦେହ କରାଯାଉଛି।

ଏହି ଘଟଣାରେ ୫ଜଣକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ପୋଲିସ । ତେବେ କିଏ? କାହିଁକି? କେଉଁ ପରିସ୍ଥିତିରେ ହତ୍ୟା କରି କୂଅରେ ଫିଙ୍ଗିଛି ସେନେଇ ତଦନ୍ତ ଚାଲିଛି ।

ତେବେ ମୃତ ଖଗେଶ୍ବରଙ୍କ ବଡ଼ଭାଇ ଲକ୍ଷ୍ମଣଙ୍କ କହିବାନୁସାରେ, ୧୦ ବର୍ଷ ପୂର୍ବେ ଖଗେଶ୍ବର ଦୈତାରୀ ରେଳବାଇ ସାଇଡିଂରେ ଲୋଡିଂଅନ୍‌ଲୋଡିଂ କାର୍ଯ୍ୟ କରୁଥିଲେ। ଏହାପରେ ସେ ବଳିପର୍ବତ ଗାଁକୁ ଆସି ପରିବା ଚାଷ କରି ଚଳୁଥିଲେ। ତାଙ୍କର ଏହି ବେଉସା ମଧ୍ୟ ଭଲ ଭାବେ ଚାଲୁଥିଲା ଓ ଭଲ ଦୁଇପଇସା ରୋଜଗାର କରୁଥିଲେ। ତାଙ୍କର ୧୫ ଓ ୧୨ ବର୍ଷର ଦୁଇଟି ପୁଅ ଅଛନ୍ତି। ତେବେ ଜୁନ୍‌ ୨୭ ତାରିଖରେ ଉଭୟେ ନିଖୋଜ ଥିଲେ। ଅନେକ ଖୋଜାଖୋଜି କରିବା ପରେ ନିରାଶ ହୋଇ ଗତକାଲି ଦୈତାରୀ ଥାନାରେ ଅଭିଯୋଗ କରିଥିଲେ। ଆଜି ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି।

Leave A Reply

Your email address will not be published.