Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଭୁବନେଶ୍ୱର ବାଣୀବିହାର ନିକଟରେ ଯୁବକ ଭାସିଯାଇ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଣୀବିହାର ନିକଟସ୍ଥ ଏକ ଡ୍ରେନ୍‌ର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଘଣ୍ଟା ଘଣ୍ଟା ଧରି ଯୁବକଙ୍କର କୌଣସି ପତ୍ତା ମିଳିପାରି ନାହିଁ।

 

ଶନିବାର ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଡ୍ରେନ୍‌ରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଜଣେ ଯୁବକ ଉଛୁଳା ଡ୍ରେନ୍ ନିକଟରେ ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରୁଥିଲେ। ଏହି ସମୟରେ ଅସାବଧାନତାବଶତଃ ସେ ଡ୍ରେନ୍‌ର ପ୍ରଖର ସ୍ରୋତରେ ଖସିପଡ଼ି ଭାସିଯାଇଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ବ୍ୟକ୍ତି ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ।

 

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି।

 

ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି, “ଖବର ପାଇବା କ୍ଷଣି ଆମେ ଟିମ୍ ସହ ପହଞ୍ଚିଲୁ। ଡ୍ରେନ୍ କାମ ସମ୍ପୂର୍ଣ୍ଣ ହୋଇସାରିଥିଲା, କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଅନେକ ଆବର୍ଜନା ଓ ପ୍ଲାଷ୍ଟିକ୍ ଭାସି ଆସିଥିଲା। ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରୁଥିବା ବେଳେ ଯୁବକ ଜଣକ ଭାସି ଯାଇଥିବା ଅନୁମାନ କରାଯାଉଛି। ଏଭଳି ପ୍ରତିକୂଳ ପାଗ ଏବଂ ପ୍ରବଳ ବର୍ଷା ସତ୍ତ୍ୱେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ସମୟରେ ଲୋକେ ଏଭଳି ବିପଜ୍ଜନକ ସ୍ଥାନକୁ ଯାଇ ନିଜ ଜୀବନକୁ ବିପଦରେ ନ ପକାଇବାକୁ ମୁଁ ନିବେଦନ କରୁଛି।”

 

ସେହିପରି ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି, “ପ୍ରାଥମିକ ସୂଚନା ଅନୁସାରେ ଜଣେ ଜରି ଗୋଟାଳି ଭାସିଯାଇଛନ୍ତି। ଉଦ୍ଧାରକାରୀ ଦଳ ନିଜ କାମ କରୁଛନ୍ତି ଏବଂ ସୂଚନା ଦେଇଥିବା ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଏହା ଏକ ମୁଖ୍ୟ ନାଳ ହୋଇଥିବାରୁ ସାଧାରଣ ଦିନରେ ବି ସେଠାରେ ପହଞ୍ଚିବା କଷ୍ଟକର ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଅଭିଯାନ ଆହୁରି ଜଟିଳ ରହିଛି।”

 

ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ପ୍ରବଳ ବର୍ଷା ଓ ଜଳବନ୍ଦୀ ସମସ୍ୟା ଭିତରେ ରାଜଧାନୀର ମୁକୁଳା ଡ୍ରେନ୍ ପୁଣିଥରେ ଜୀବନ ନେବାକୁ ବସିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Leave A Reply

Your email address will not be published.