ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ପରେ ହର୍ମୁଜ ପ୍ରଣାଳୀରେ ଏଲଏନଜି ଯୋଗାଣରେ ଉନ୍ନତି ଆସିଛି । ଏହାକୁ ନଜରରେ ରଖି ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଗତ ମାର୍ଚ୍ଚ ମାସରେ ଲଗାଯାଇଥିବା ଜରୁରୀକାଳୀନ କଟକଣାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ହଟାଇ ଦିଆଯାଇଛି ।
ସରକାର ଜରୁରୀକାଳୀନ ଅଧିକାରକୁ ବ୍ୟବହାର କରି ଘରୋଇ ଏଲପିଜି ଯୋଗାଣକୁ ଶତ ପ୍ରତିଶତ ନିଶ୍ଚିତ କରିବା ସହିତ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକୁ ଅଧିକ ଏଲଏନଜି ଯୋଗାଇ ଦେବାଲାଗି ନିଷ୍ପତ୍ତି ନେଇଥିଲେ । ସେହି ବ୍ୟବସ୍ଥା ଅନୁଯାୟୀ, ପିଏନଜି, ସିଏନଜି ଓ ଏଲପିଜି ଉତ୍ପାଦନ ଏବଂ ଗ୍ୟାସ ପାଇପଲାଇନ ପରିଚାଳନା ପାଇଁ ଜରୁରୀ ଅନୁସାରେ ୧୦୦ ପ୍ରତିଶତ ଗ୍ୟାସ ଯୋଗାଇ ଦିଆଯାଇଥିଲା ।
ହେଲେ ସାର କମ୍ପାନିଗୁଡ଼ିକୁ ସେମାନଙ୍କ ଆବଶ୍ୟକତାର ୭୦ ପ୍ରତିଶତ, କାରଖାନା ଓ ସିଟି ଗ୍ୟାସ ନେଟୱର୍କ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ପ୍ରାୟ ୮୦ ପ୍ରତିଶତ ଗ୍ୟାସ ଉପଲବ୍ଧ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ପେଟ୍ରୋରସାୟନ କମ୍ପାନି, ଗ୍ୟାସକୁ ଉପଯୋଗ କରି ବିଦ୍ୟୁତ୍ ଉତ୍ପାଦନ କରୁଥିବା କମ୍ପାନି ଏବଂ କିଛି ବିଶୋଧନାଗାରଗୁଡ଼ିକର ଗ୍ୟାସ ଯୋଗାଣ ହ୍ରାସ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ସେଠାକାର କେତେକ ଅନ୍ତର୍ଜାତୀୟ ଯୋଗାଣକାରୀ ଗ୍ୟାସ ଯୋଗାଣ ରୋକି ଦେଇଥିଲେ । ଏଥିପାଇଁ ଭାରତରେ ଗ୍ୟାସ ଉପଲବ୍ଧତା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ବଢ଼ିଯାଇଥିଲା । ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରାକୃତିକ ଗ୍ୟାସ ନିର୍ଦ୍ଦେଶନାମା ୨୦୨୬ ଲାଗୁ କରିଥିଲେ । ବର୍ତ୍ତମାନ ସରକାର ସେସବୁ ପ୍ରତିବନ୍ଧକଗୁଡ଼ିକୁ ହଟାଇ ଦେଇଛନ୍ତି ।